ଜୁଲାଇ ୪ରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି: ବିଶେଷଜ୍ଞ

61

ହାଇଦ୍ରାବାଦ : କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସବିଆଇ ତାର ରିପୋର୍ଟରେ କହିଥିଲା । ହେଲେ ଦେଶର ଅନ୍ୟତମ ବିଶେଷଜ୍ଞ କିନ୍ତୁ କହିଛନ୍ତି ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ୧୫ ମାସ ହେବ ଏହି ବିଶେଷଜ୍ଞ କୋଭିଡର ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ବିଶେଷଜ୍ଞ ଜଣଙ୍କ ହେଲେ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପ୍ରୋ-ଭାଇସ ଚାନସେଲର ଡାକ୍ତର ବିପିନ ଶ୍ରୀବାସ୍ତବ । ଯିଏକି ପେସାରେ ଜଣେ ଚିକିତ୍ସକ । ଯଦି ଲୋକମାନେ କୋଭିଡ ପ୍ରୋଟୋକଲ ଭାଙ୍ଗିବେ ତାହେଲେ ଆଗାମୀ ଦିନରେ ତୃତୀୟ ଲହର ମଧ୍ୟ ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି ।

ସେ ନିଜ ଗବେଷଣାର ଏକ ପ୍ୟାଟର୍ଣ୍ଣ ଶେଆର କରିଛନ୍ତି । ଯେଉଁଥିରେ ୪୬୧ ଦିନର ଗ୍ରାଫକୁ ସେ ଅନୁଧ୍ୟାନ କରିଛନ୍ତି । ଦୈନିକ ପ୍ରକାଶ ପାଉଥିବା ମୃତ୍ୟୁସଂଖ୍ୟାକୁ ଦେଖି ସେ ତୃତୀୟ ଲହର ଆସିଛି ବୋଲି କହିଛନ୍ତି । ମୁଖ୍ୟତଃ ସଂକ୍ରମଣ ଏବଂ ମୃତ୍ୟୁହାରକୁ ଆଧାର କରି ସେ ଏପରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଡାକ୍ତର ଶ୍ରୀବାସ୍ତବ ଗୋଟିଏ ଦିନରେ ଘଟୁଥିବା କୋଭିଡଜନିତ ମୃତ୍ୟୁ ଓ କୋଭିଡ ସଂକ୍ରମିତଙ୍କ ଅନୁପାତକୁ ଗଣନା କରି କୋଭିଡ଼ ସଂକ୍ରମଣର ପ୍ରଗତି ବା ପଶ୍ଚାତଗତି ସଂପର୍କରେ ଗଣନା କରିଥିଲେ । ଯଦି କୋଭିଡ ସଂକ୍ରମଣଠାରୁ କୋଭିଡରୁ ଆରୋଗ୍ୟ ସଂଖ୍ୟା କମ୍ ରହିବା ସହିତ କୋଭିଡ଼ ମୃତ ନକାରାତ୍ମକ ରହିବା ହେଉଛି ଶୁଭ ଲକ୍ଷଣ । ଗୋଟିଏ ଦିନରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ ହେବା ନିଶ୍ଚୟ ଭଲ ସ୍ଥିତି ନୁହେଁ ।

ସୂଚନାଯୋଗ୍ୟ, ଏହି ବିଶେଷଜ୍ଞଙ୍କ ହିସାବରେ କୋଭିଡର ଦ୍ୱିତୀୟ ଲହର ଫେବୃଆରୀ ପ୍ରଥମ ସପ୍ତାହରେ ଆସିଥିଲା ଏବଂ ଏପ୍ରିଲ ଶେଷ ଆଡକୁ ଏହା ପିକରେ ପହଞ୍ଚିଥିଲା ବୋଲି କହିଛନ୍ତି । ତେଣୁ ଲୋକମାନେ ମାସ୍କ ପିନ୍ଧିବା ସହିତ, ସାମାଜିକ ଦୂରତା, ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବା ଦରକାର ଏଥିସହ ନିୟମିତ ଭାବରେ ହାତ ସାନିଟାଇଜ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।

Comments are closed.