ଲଦାଖରେ ପଶିଲେ ଚାଇନା ସୈନ୍ୟ

64

ଲଦାଖ : ଭାରତର ଲଦାଖ ସ୍ଥିତ ଦେମଚୁକ୍ ରେ ଧସେଇ ପଶିଛନ୍ତି ଚାଇନିଜ ଯବାନ ଓ କିଛି ସାଧାରଣ ଲୋକ । ସେମାନେ ସିନ୍ଧୁ ନଦୀର ଅପରପାର୍ଶ୍ୱରେ ଛିଡ଼ା ହୋଇ ବିରୋଧ ପ୍ରଦର୍ଶନ ବି କରିଛନ୍ତି । ଏଠାରେ ଗାଁ ଲୋକମାନେ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରୁଥିବାରୁ ଏହାକୁ ବିରୋଧ କରି ଚାଇନା ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସେମାନେ ସିନ୍ଧୁ ନଦୀର ଅପରପାଖରେ ଛିଡ଼ା ହୋଇ ଚାଇନିଜ ପତାକା ଓ ବିରୋଧ ପ୍ରଦର୍ଶନ କରିବା ପାଇଁ ପୋଷ୍ଟର ମଧ୍ୟ ଦେଖାଇଥିଲେ । ଜୁଲାଇ ୬ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ଏବେ ଏହାର ଫଟୋ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଦଲାଇ ଲାମାଙ୍କ ଜନ୍ମଦିନ ପାଇଁ ଯେଉଁ ଗାଁରେ କାର୍ଯ୍ୟକ୍ରମ କରାଯାଉଥିଲା ସେଠାକାର କମ୍ୟୁନିଟି ସେଣ୍ଟର ପାଖରୁ ଚାଇନିଜ ଆର୍ମିର ଯବାନ ଓ କିଛି ସାଧାରଣ ଲୋକ ୫ଟି ଗାଡ଼ିରେ ଆସି ପହଞ୍ଚିଥିଲେ । ଏହାପରେ ସେମାନେ ପୋଷ୍ଟର ଓ ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ଦଲାଇଲାମାଙ୍କ ଜନ୍ମ ଦିନ ଭାରତର ଲଦାଖରେ ପାଳନ କରାଯାଉଥିବାରୁ ଏହାକୁ ଚାଇନା ବିରୋଧ କରିଛି ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କୁ ତାଙ୍କର ୮୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । ସେହିପରି ୨୦୧୪ରୁ କ୍ଷମତାରେ ଥିବା ମୋଦି ପ୍ରଥମଥର ପାଇଁ ଦଲାଇଲାମାଙ୍କ ସହ କଥାବାର୍ତ୍ତା କରିଥିବା ଖୋଲାଖୋଲି ଭାବେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହାକୁ ନେଇ ଚାଇନା ଚିହିଁକି ଉଠିଥିଲା । ଏବେ ଦଲାଇଲାମାଙ୍କ ଜନ୍ମଦିନ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଚାଇନା ବିରୋଧ କରିଛି । ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲମେ’ମାସରେ ଭାରତ ଓ ଚାଇନା ସୀମାକୁ ନେଇ ମୁହାଁମୁହିଁ ହୋଇଥିଲେ । ଏବେ ବି ସୀମାରେ ଉତ୍ତେଜନା ଲାଗି ରହିଛି । ଏଥିପାଇଁ ଉଭୟ ଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି ।

Comments are closed.