ବାତ୍ୟାଠାରୁ ଭୟଙ୍କର ବଜ୍ରପାତ ମୃତ୍ୟୁରେ ବିହାର ଶୀର୍ଷରେ: ଚତୁର୍ଥ ସ୍ଥାନରେ ଓଡ଼ିଶା

65

ନୂଆଦିଲ୍ଲୀ : ବାତ୍ୟାଠାରୁ ଅଧିକ ମାରାତ୍ମକ ବଜ୍ରପାତ । ବଜ୍ରାଘାତରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି । ପଶ୍ଚିମବଙ୍ଗରେ ଜୁନ୍ ୯ ତାରିଖରେ ବଜ୍ରାଘାତରେ ୨୭ଜଣଙ୍କ ମୃତ୍ୟୁ ଘଟିଥିଲା ଯାହା ବାତ୍ୟା ୟଶ୍ର ମୃତ୍ୟୁସଂଖ୍ୟାଠାରୁ ଅଧିକ । ୧୯୬୮ରେ ବଜ୍ରାଘାତରେ ବାର୍ଷିକ ୧ହଜାର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦୪ଠାରୁ ଏହା ଦ୍ୱିଗୁଣିତ ହୋଇଯାଇଛି । ବଜ୍ରପାତ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ଦେଶରେ ୧୭୭୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ୧୬୯୭ ରହିଛି । ମୃତ୍ୟୁସଂଖ୍ୟା କମିଥିଲେ ହେଁ ୨୦୨୦-୨୧ରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ରେ ୧କୋଟି ୩୮ଲକ୍ଷ ଥର ବଜ୍ରପାତ ହୋଇଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ୧କୋଟି ୮୫ଲକ୍ଷ ୪୪ହଜାର ୩୬୭ ରହିଥିଲା ।

ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ୨୦୨୦ ଏପ୍ରିଲ ପହିଲାରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଓଡ଼ିଶାରେ ୨୦ଲକ୍ଷ ୪୩ ହଜାର ଥର ବଜ୍ରପାତ ହୋଇଛି । ମଧ୍ୟପ୍ରଦେଶରେ ୧୭ଲକ୍ଷ ୧୦ହଜାର, ଛତିଶଗଡ଼ରେ ୧୫ଲକ୍ଷ ୨୧ହଜାର, ଝାରଖଣ୍ଡରେ ୧୪ଲକ୍ଷ ୯୧ହଜାର,ୟୁପିରେ ୧୩ଲକ୍ଷ ୭୭ହଜାର ଥର ବଜ୍ରପାତ ହୋଇଛି । କିନ୍ତୁ ଅଧିକ ମୃତ୍ୟୁ ହୋଇଛି ବିହାରରେ । ବିହାରରେ ସର୍ବାଧିକ ୪୦୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁପିରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଓ ଓଡ଼ିଶାରେ ୧୫୬ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁରେ ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା । ଦେଶରେ ଯେତେ ବଜ୍ରାଘାତ ମୃତ୍ୟୁ ହୋଇଛି ସେଥିରୁ ୭୧ପ୍ରତିଶତ ଗଛ ତଳେ ଠିଆ ହୋଇଥିବା ଅବସ୍ଥାରେ ହୋଇଥିବା ଜଣାଯାଇଛି । ୫୦ ପ୍ରତିଶତ
ଖୋଲାରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଛନ୍ତି । ଓଡ଼ିଶା-ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ଅଧିକ ବଜ୍ରପାତ ହୋଇଥିବା ଜଣାଯାଇଛି । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ବଜ୍ରପାତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.