ଓଡ଼ିଶା ବନ୍ଦ ସମର୍ଥନରେ ଶୋଭାଯାତ୍ରା

62

ଭୁବନେଶ୍ୱର : ଡିଜେଲ, ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୋଧରେ ୪ଟି ବାମପନ୍ଥୀ ଦଳ ତରଫରୁ ଆସନ୍ତା ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରି ଏହାକୁ ସଫଳ କରିବା ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ସିପିଆଇ, ଏଆଇଟିୟୁସି, ବିକେଏମ୍ୟୁ ଓ ଏଆଇକେଏସ୍ର କର୍ମୀମାନେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ସମେତ ସମଗ୍ର ଅଶୋକନଗର ଅଂଚଳ ପରିକ୍ରମା କରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।

ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଓ ସିପିଆଇ ନେତା ଜୟନ୍ତ ଦାସ ଶୋଭାଯାତ୍ରାକାରୀମାନଙ୍କୁ ଉଦ୍ବୋଧନ ଦେଇ କରୋନା ମହାମାରୀ ସମୟରେ ଗରିବ ଓ ମଧ୍ୟବିତଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ଏହି ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ବୋଲି ମତବ୍ୟକ୍ତ କରି ଏହାର ପ୍ରତିବାଦରେ ରାଜ୍ୟବାସୀ ସ୍ୱତଃସ୍ଫୁର୍ତ ଭାବରେ ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଡାକ ହେମ୍ବ୍ରମ୍, ପାର୍ବତୀ ଲାଗୁରି, କୁନା ଜାଲି ଓ ପଂଚାନନ ସାହୁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Comments are closed.