ବିଦ୍ୟୁତ ଦର ହ୍ରାସ ଦାବିରେ ବିଜେପିର ୭ ଦିନିଆ ରାଜ୍ୟବ୍ୟାପୀ ପ୍ରତିବାଦ ଆସନ୍ତାକାଲିଠୁ

64

ଭୁବନେଶ୍ୱର : ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ବିଜେପି ପକ୍ଷରୁ ଆସନ୍ତାକାଲି (ବୁଧବାର)ଠାରୁ ୭ ଦିନ ଧରି ସାରା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଆଗରେ ପ୍ରତିବାଦ କରାଯିବ ବୋଲି ରାଜ୍ୟବିଜେପି ସଭାପତି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି । ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା ସହ ବାତ୍ୟା ପରେ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ବିଧାନସଭାରେ ରାଜ୍ୟ ସରକାର ଆଡଜନମେଂଟ ମୋସନର ଉତର ରଖି ବିଦ୍ୟୁତ ଦର କମାଇବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପାଳନ କରନ୍ତୁ ଏବଂ ବର୍ଦ୍ଧିତ ଟାରିଫକୁ ରାଜ୍ୟ ସରକାର ତୁରନ୍ତ କମ୍ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପଡି ରହିଛି । ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ନ କରିଦେଇଛନ୍ତି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି । ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫କୋଟି ଟଙ୍କା ଜଳକର ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ୍ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ ରେ ବଡ ବୃଦ୍ଧି ପାଇଁ ଦାବି କରାଯିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ୍ ପିଛା ପ୍ରଥମ ୫୦ୟୁନିଟ ପର୍ଯ୍ୟନ୍ତ ୨ଟ ୫୦ପଇସା ରହିଥିବା ବେଳେ ଦେଶର ସିକିମ, ଆନ୍ଧ୍ର, ତେଲେଙ୍ଗାନା, ଗୋଆ ଓ ଛତିଶଗଡରେ ଏହା ହାରାହାରି କମ୍ ରହିଛି । ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକମାନଙ୍କୁ ଶାସକ ଦଳର ପ୍ରତିଶୃତି ଅନୁସାରେ ମାଗଣା ବିଜୁଳି ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ମୁଖ୍ୟପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.