ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି : ଆଜି ମିଳିବ ଆଡ଼ପ ଅବଢ଼ା

61

ଭୁବନେଶ୍ୱର : ନବଦିନାତ୍ମକ ଯାତ୍ରାରେ ଜଗତରନାଥ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ଧରି ମାଉସୀ ମା’ଘରକୁ ଆସିଛନ୍ତି । ସୋମବାର ଶରଧାବାଲିରେ ଦର୍ଶନ ଦେବା ପରେ ଆଡପମଣ୍ଡପ ବିଜେ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀଜୀଉଙ୍କ ନୀତିକାନ୍ତି ଶେଷ ହେବା ପରେ ଗୋଟି ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଥମେ ମଦନମୋହନ ଓ ପରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସେହିପରି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ମଧ୍ୟ ଗୋଟିପହଣ୍ଡିରେ ଜନ୍ମବେଦୀକୁ ଯାଇଥିଲେ । ସେବାୟତମାନେ ଗୋଟିପହଣ୍ଡି କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜନ୍ମବେଦୀକୁ ପାଛୋଟି ନେଇଥିଲେ । ରଥ ଉପରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂନୀତି ଶେଷ ପରେ ଆଡପମଣ୍ଡପ ବିଜେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମନୋରମ ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ଟିଭିରେ ଉପଭୋଗ କରିଥିଲେ ।ଆସନ୍ତାକାଲି ଆଡପ ଅବଢ଼ା ମିଳିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୃସିଂହ ମନ୍ଦିର ଓ ବସ୍ଷ୍ଟାଣ୍ଡରେ ଅବଢ଼ା ବିକ୍ରିର ବ୍ୟବସ୍ଥା ହେବ । ଜିଲ୍ଲାପାଳ ଶ୍ରୀ ବର୍ମା ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ବ୍ୟବସ୍ଥାର ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଶାନ୍ତିଶୃଙ୍ଖଳା ସହ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ୩ଘଣ୍ଟା ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିନତମାମ ଛାଇଆଲୁଅର ଖେଳ ଭିତରେ ଚାଲିଥିଲା ବିଶ୍ୱନିୟନ୍ତାଙ୍କ ଲୀଳାଖେଳା । କିନ୍ତୁ ବଡ଼ଦାଣ୍ଡ ଭକ୍ତଶୂନ୍ୟ ଥିବାରୁ କେବଳ ସେବାୟତମାନେ ରଥ ଟାଣିଥିଲେ । ଆଇନଶୃଙ୍ଖଳା ଦୃଷ୍ଟିରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଜନସାଧାରଣ ତଥା ଯାନବାହନ ଚଳାଚଳରେ ରୋକ ଲଗାଯାଇଥିଲା । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଥିବା ବେଳେ ବଡ଼ଦାଣ୍ଡ ସଂଲଗ୍ନ ସମସ୍ତ ଗଳିକନ୍ଦିକୁ ବି ସିଲ୍ କରିଦିଆଯାଇଥିଲା । ମାଳ ମାଳ ପୋଲିସ ବଡ଼ଦାଣ୍ଡରେ ପଇଁତରା ମାରୁଥିବା ବେଳେ ଜଳ, ସ୍ଥଳ ଓ ଆକାଶରୁ ତୀକ୍ଷ୍ଣ ନଜର ରଖାଯାଇଥିଲା । ସିସିଟିଭି ନଜରରେ ଥିଲା ପୁରା ପୁରୀ ସହର । କୋଭିଡ୍ କଟକଣା ଭିତରେ ଚଳିତବର୍ଷର ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତଙ୍କ ବଦଳରେ କେବଳ ସେବାୟତମାନେ ରଥ ଟାଣିଥିଲେ ।

Comments are closed.