ଅନ୍ଲକ୍: ଫୋକସ୍ ରେ ଖୋର୍ଦ୍ଧା-କଟକ

66

-ଉଠିପାରେ ସପ୍ତାହାନ୍ତ ସଟ୍ଡାଉନ୍, ବଳବତ୍ତର ନାଇଟ୍ କର୍ଫ୍ୟୁ
-କାଟାଗୋରୀ ‘ଏ’କୁ ଆସିପାରେ ଉପକୂଳର ୫/୬ ଜିଲ୍ଲା
-ପାର୍ଲର, ସ୍ପା ଓ ସିନେମା ହଲ୍ ଖୋଲିବା ଉପରେ ନଜର

ଭୁବନେଶ୍ୱର : ଦିନକ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକ୍ଡାଉନ୍ । ତା’ ପରେ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁମାନ କରାଯାଉଛି କାଟାଗୋରୀ ‘ଏ’କୁ ଉପକୂଳର ଆଉ ୫/୬ ଜିଲ୍ଲା ଆସିପାରେ । କାଟାଗୋରୀ‘ବି’ରେ ଥିବା କିଛି ଜିଲ୍ଲାକୁ ଉଠିପାରେ ସପ୍ତାହନ୍ତ ସଟ୍ଡାଉନ୍ । କିନ୍ତୁ ଖୋର୍ଦ୍ଧା,କଟକ ଓ ପୁରୀରେ ବଳବତ୍ତର ରହିପାରେ କଟକଣା । ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବ କି ନାହିଁ, ପାର୍ଲର ଓ ସ୍ପା ଖୋଲିବା ନେଇ କି ନିଷ୍ପତ୍ତି ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ କରୋନା କାୟା କମୁଥିବା ବେଳେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଲାଣି । ପଜିଟିଭିଟି ହାର ୩ ପ୍ରତିଶତ ରହୁଛି । ୨୪ ଘଣ୍ଟାରେ ୨୦୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ହାର ରହିଛି ୩.୦୯ ପ୍ରତିଶତ । କରୋନା ମାନଚିତ୍ରରେ ସବୁଜ ହେଲାଣି ଓଡ଼ିଶା । ଦୁଇଦିନ ପଜିଟିଭିଟି ରେଡ୍ଜୋନ୍ ଫାଙ୍କ୍। ଥିବାବେଳେ ଆଜି ଏହି ତାଲିକାରେ ଯୋଡ଼ି ହୋଇଛି ପୁରୀ ଓ ଖୋର୍ଦ୍ଧା । ଗ୍ରୀନ୍ ଜୋନ୍ ରେ ୨୮ ଜିଲ୍ଲା ଥିବାବେଳେ ୟେଲୋରେ ଅଛି ନୟାଗଡ଼ ଓ କଟକ । ଆକ୍ଟିଭ୍ କେସ୍ ଗ୍ରୀନ ଜୋନ୍ ରେ ୨୩ ଜିଲ୍ଲା ଥିବାବେଳେ ୟେଲୋ ଜୋନ୍ ରେ ଅଛି ୫ ଜିଲ୍ଲା । ଖୋର୍ଦ୍ଧା ଓ କଟକ ଆକ୍ଟିଭ୍ କେସ୍ ରେଡ୍ ଜୋନ୍ ରେଅଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସରକାର ସ୍ୱତନ୍ତ୍ର ଫୋକସ୍ ଦେଉଛନ୍ତି । ତଥ୍ୟକୁ ସମୀକ୍ଷା କରି ଅନ୍ଲକ୍ ନିଷ୍ପତ୍ତି ସରକାର ନେବେ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ।

ସେହିପରି ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକ୍ଡାଉନ୍ ଶେଷ ହେଉଛି । ତା’ପରେ କ’ଣ ହେବ ? କରୋନା ସ୍ଥିତିରେ ସୁଧାର ଆସିଥିଲେ ବି ପୁରା ଓଡ଼ିଶା ଅନଲକ୍ ହୋଇନପାରେ । କାଟାଗୋରୀ ‘ଏ’ରେ ଆଉ କିଛି ଜିଲ୍ଲା ସାମିଲ୍ ହୋଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଓ ନୟାଗଡ଼ରେ ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକ୍ଡାଉନ୍ ରେ କମିଛି । ଏଥିରୁ କିଛି ଜିଲ୍ଲା କାଟାଗୋରୀ ‘ଏ’କୁ ଆସିପାରନ୍ତି । ଖୋର୍ଦ୍ଧା, କଟକ ଓ ପୁରୀରେ କଟକଣା ବଳବତ୍ତର ରହିପାରେ । କାରଣ ଖୋର୍ଦ୍ଧା ଓ କଟକରୁ ଦୈନିକ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ଦୁଇଟି ଯାକ ଜିଲ୍ଲା ଆକ୍ଟିଭ୍ କେସ୍ ରେଡ୍ ଜୋନ୍ ରେ ଅଛି । ପୁରୀ ଆକ୍ଟିଭ୍ କେସ୍ ୟେଲୋ ଓ ପଜିଟିଭିଟିରେ ରେଡ୍ ଜୋନ୍ ରେ ଅଛି । ପୁରୀରେ ସର୍ବାଧିକ ୧୨.୪ ପ୍ରତିଶତ ରହିଛି ପଜିଟିଭିଟି ହାର । ଆଗକୁ ବାହୁଡ଼ା,ସୁନାବେଶ ଓ ନୀଳାଦ୍ରିବିଜେ ଥିବାରୁ ଶ୍ରୀକ୍ଷେତ୍ରରେ ବଳବତ୍ତର ରହିପାରେ କଟକଣା ।

ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ରେ କାଟାଗୋରୀ ‘ଏ’ ଜିଲ୍ଲାରେ ସବୁ ଦୋକାନବଜାର ସନ୍ଧ୍ୟା ୬ଟା ଯାଏ ଖୋଲିବାକୁ ଅନୁମତି ମିଳିଥିଲା । କିନ୍ତୁ ୧୬ ତାରିଖ ପରେ କାଟାଗୋରୀ ‘ଏ’ ଜିଲ୍ଲାରେ ରାତି ୮ରୁ ୯ଟା ଯାଏ ବଢ଼ିପାରେ ମାର୍କେଟ ଖୋଲିବା ସମୟ । ସେହିପରି କାଟାଗୋରୀ ‘ବି’ ଜିଲ୍ଲାରେ ସନ୍ଧ୍ୟା ୬ଟା ଦୋକାନ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର । ଏବେ ଦିନ ଦୁଇଟା ଯାଏ ଖୋଲୁଛି । ଖୋର୍ଦ୍ଧା, କଟକ ଓ ପୁରୀକୁ ଛାଡ଼ି ଅନ୍ୟ ଜିଲ୍ଲାରୁ ଉଠିପାରେ ସପ୍ତାହନ୍ତ ସଟ୍ଡାଉନ୍ । କିନ୍ତୁ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାଜ୍ୟବ୍ୟାପି ବଳବତ୍ତର ରହିପାରେ । ମଲ୍ ଓ ସିନେମା ହଲ୍ ଖୋଲିନପାରେ । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବା ପ୍ରଶ୍ନ ଉଠୁନାହିଁ । ଅନ୍ଲାଇନ୍ ରେ ଜାରି ରହିବ ପାଠପଢ଼ା । ପୂର୍ବଭଳି ବନ୍ଦ ରହିବ ଧାର୍ମିକ ଅନୁଷ୍ଠାନ । କେବଳ ନୀତିକାନ୍ତି ଚାଲିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ସପକ୍ଷରେ ନାହାନ୍ତି ସରକାର । ରେଷ୍ଟୁରାଣ୍ଟ, ହୋଟେଲ ଖୋଲିବ କି ନାହିଁ ତାହା ଉପରେ ନଜର ରହିଛି । ସେହିପରି ଜୁଲାଇରେ ବିଭିନ୍ନ ରାଜ୍ୟ ୫୦ ପ୍ରତିଶତ କ୍ଷମତା ସହ ଜିମ୍ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଓଡ଼ିଶାରେ କ’ଣ ହେବ ପାର୍ଲର ଓ ସ୍ପା ଖୋଲିବ କି ନାହିଁ ତାକୁ ଅପେକ୍ଷା । ସେହିପରି ଜୁଲାଇ ଗାଇଡ୍ଲାଇନ୍ ରେ କାଟାଗୋରୀ ‘ଏ’ ଜିଲ୍ଳାରେ କେବଳ ବସ୍ ଚଳାଚଳକୁ ଅନୁମତି ମିଳିଥିଲା । ୧୬ ପରେ ରାଜ୍ୟବ୍ୟାପି ବସ୍ ଚଳାଚଳ ସ୍ୱାଭାବିକ୍ ହେବ କି ନାହିଁ ତାହା ଉପରେ ନଜର ରହିଛି ।

Comments are closed.