ରାଜ୍ୟରେ ଅଗଷ୍ଟ ୧ ଯାଏଁ ଜାରି ରହିଲା ଆଂଶିକ ଲକ୍‌ଡାଉନ୍

40

ଭୁବନେଶ୍ୱର : ରାଜ୍ୟର କରୋନା ସ୍ଥିତିକୁ ଅନୁଧ୍ୟାନ କରି ଆଂଶିକ କଟକଣାକୁ ଅଗଷ୍ଟ ୧ ସକାଳ ୬ଟା ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତ ରହିଛି । ସେ କହିଛନ୍ତି ଯେ, ରାଜ୍ୟରେ କରୋନାର ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି । କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନଥିବାରୁ ଆଂଶିକ ଲକଡାଉନକୁ ଆହୁରି ୨ ସପ୍ତାହ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଆଧାରରେ ଆଗାମୀ ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ ଜାରି ରହିବ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଗତଥର ଭଳି ଏଥର ମଧ୍ୟ ରାଜ୍ୟକୁ ୨ ଭାଗରେ ବିଭାଗ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାକୁ କାଟାଗୋରୀ ‘ଏ’ (ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ଗଂଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର)ରେ ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ତଥା କାଟାଗୋରୀ ‘ବି’ (କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ) ରେ ଭାଗ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, କଟକ ଆଦି ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ । କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରାଜ୍ୟର ସଂକ୍ରମଣର ୪୦ ପ୍ରତିଶତ ରହୁଛି ।

ରାଜ୍ୟ ସରକାର ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଏ’ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ ଯାଏଁ ଦୋକାନ ଖୋଲା ରହିବ । ‘ବି’ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲିବ ଦୋକାନ ବଜାର । ‘ବି’ କାଟାଗୋରୀ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍  ଜାରି ରହିବ ଏବଂ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । କାଟାଗୋରୀ ‘ବି’ ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ । ଅପରପକ୍ଷରେ ଲୋକଙ୍କ ସୁବିଧା ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ରାଜ୍ୟଣ ସମସ୍ତ ଜିଲ୍ଲାରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ଖୋଲିବ । ସାରା ରାଜ୍ୟରେ ଯାତ୍ରୀ ବାହୀ ବସ୍, ଅଟୋ ଚଳାଚଳ କରିବ । ସୀମିତ ସଂଖ୍ୟକୁ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବେ ବସ୍ । ଅନ୍ୟ ପାସେଞ୍ଜର ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରା କରିପାରିବେ । ଆଉଟଡୋର ଫିଲ୍ମ ସୁଟିଂକୁ ସମଗ୍ର ରାଜ୍ୟରେ ଅନୁମତି ମିଳିଛି । ତେବେ ପୂର୍ବରୁ ବାହାଘର ନେଇ ଜାରି ପୂର୍ବ କଟକଣା ବଳବତ୍ତର ରହିବ । ସ୍କୁଲ ଓ କୋଚିଂ ସେଣ୍ଟର ପୂର୍ବ ଭଳି ବନ୍ଦ ରହିବ ।

Comments are closed.