ମୁମୂର୍ଷୁ ଅବସ୍ଥାରେ ଅଣଓଡ଼ିଆ ବ୍ୟକ୍ତି ଉଦ୍ଧାର

68

-ପଚି ଯାଇଥିବା ଗୋଡ଼କୁ ପରିଷ୍କାର କଲେ ସାମାଜିକ କର୍ମୀ

ଭୁବନେଶ୍ୱର : ବୟସ ପାଖାପାଖି ୫୦ ହେବ । ରାସ୍ତାକଡ଼ରେ ବ୍ୟକ୍ତିଜଣକ ପଡ଼ି ରହି ଯନ୍ତ୍ରଣାରେ କଲବଲ ହେଉଥାନ୍ତି । ବ୍ୟକ୍ତିଜଣଙ୍କର ଡ଼ାହାଣପଟ ଗୋଡ଼ଟି ପଚି ଯାଇଥିଲା । କ୍ଷତସ୍ଥାନକୁ ଚାରିପଟୁ ମାଛିମାନେ ବେଢି ରହିଥାନ୍ତି । କ୍ଷତସ୍ଥାନଟି ପଚି ଯାଇଥିବାରୁ ଦୁର୍ଗନ୍ଧ ବି ବାହାରୁଥାଏ । ଆତଯାତ କରୁଥିବା ଲୋକମାନେ ନାକରେ ରୁମାଲ ଦେଇ ଯେଝା ବାଟ କାଟି ଚାଲିଯାଉଥାନ୍ତି । କେହି ଆହା ପଦେ ବି କହିବାକୁ ନାହାଁନ୍ତି । ପାଟିରେ ପାଣି ମୁନେ୍ଦ ଦେବା ତ ଦୂରର କଥା । ଏ ହେଉଛି ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହି ନିକଟସ୍ଥ ମେଟ୍ରୋ ହାଉସ୍ ଆପାର୍ଟମେଂଟ ସାମ୍ନାର କରୁଣ ଦୃଶ୍ୟ ।

ସ୍ଥାନୀୟ ଅଂଚଳରେ ରହୁଥିବା ନାରାୟଣ ଚନ୍ଦ୍ର ବାରିକ ନାମକ ଜନୈକ ବ୍ୟକ୍ତି ଏତାଦୃଶ ଅବସ୍ଥା ଦେଖି ସେ ଆଉ ସମ୍ଭାଳି ପାରି ନଥିଲେ । ଆଖାପାଖ ଲୋକଙ୍କୁ ସାହାଯ୍ୟ ପାଇଁ ନାରାୟଣ ନିବେଦନ କରିଥିଲେ । କିନ୍ତୁ ସାହାଯ୍ୟ ପାଇପାରି ନଥିଲେ । କରୋନା ଭୟରେ ସମସ୍ତେ ରୋକ୍ଠୋକ୍ ମନାକରି ଦେଇଥିଲେ । ତତ୍ପରେ ନାରାୟଣ ଭୁବନେଶ୍ୱରର ଅସହାୟ ଓ ନିରାଶ୍ରୟ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଧ୍ୟାନ ମିସିଂ ଫାଉଣ୍ଡେସନ ସହ ଯୋଗାଯୋଗ କରିଥିଲେ । ମୁମୂର୍ଷୁ ବ୍ୟକ୍ତିଙ୍କର ଏ ଅବସ୍ଥା ଶୁଣିବା ପରେ ଫାଉଣ୍ଡେସନ ପକ୍ଷରୁ ସାମାଜିକ କର୍ମୀ ସୁଶାନ୍ତ ସାହୁ ଏବଂ ପ୍ରିୟବ୍ରତ ପଣ୍ଡା ଘଟଣାସ୍ଥଳରେ ପହଂଚିଥିଲେ । ବ୍ୟକ୍ତି ଜଣଙ୍କର କ୍ଷତସ୍ଥାନକୁ ପ୍ରଥମେ ପରିଷ୍କାର ପରିଚ୍ଛନ୍ନ କରି ଫାଷ୍ଟଏଡ୍ ଚିକିତ୍ସା କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଜଧାନୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟକ୍ତିଜଣଙ୍କୁ ସ୍ଥାନାନ୍ତରିତ କରିଥିଲେ । ବ୍ୟକ୍ତି ଜଣକ ଅଣଓଡ଼ିଆ । ମାନସିକ ସନ୍ତୁଳନ ହରାଇଥିବାରୁ ତାଙ୍କର ନାମ ଓ ଘର ଠିକଣା ସ୍ପଷ୍ଟ ରୂପେ ଜଣାପଡ଼ି ନାହିଁ ବୋଲି ଫାଉଣ୍ଡେସନ ପକ୍ଷରୁ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Comments are closed.