ସୁଦୃଢ଼ ହେବ ଆଇଟି ଭିତ୍ତିଭୂମି

62

-୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ
-ଭୁବନେଶ୍ୱର ସିଇଟି କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
-ତିନି ଜିଲ୍ଲାରେ ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରି
-ସୁନ୍ଦରଗଡ଼-ଡୁଡୁକା ରାସ୍ତା ପାଇଁ ୧୦୨.୬୫ କୋଟି
-୨ବର୍ଷରେ ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ
-ସୁନ୍ଦରଗଡ଼ରେ ନିର୍ମାଣ ହେବ ୩୮୮ କୋଟିର ପାନୀୟଜଳ ପ୍ରକଳ୍ପ
-ବଦଳିଲା ଗ୍ରୁପ୍ ‘ସି’ କର୍ମଚାରୀଙ୍କ ପଦୋନ୍ନତି
-ଏଣିକି ଓଏସ୍ଏସ୍ଏସ୍ସି ଦ୍ୱାରା ପିଇଓ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ୧୫ଟି ପ୍ରସ୍ତାବକୁ ମିଳିଛି । ବୈଠକରେ ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପ (ଓସ୍ୱାନ୍)କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହାଦ୍ୱାରା ଆଇଟି କ୍ଷେତ୍ର ବେଶ୍ ସୁଦୃଢ଼ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୩୨କୋଟି ଟଙ୍କା । ରାଜ୍ୟ ହେଡ୍କ୍ୱାର୍ଟସର୍, ସମସ୍ତ ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ବ୍ୟାଣ୍ଡୱିଥ୍ ବୃଦ୍ଧି ହେବ । ଲୋଡ୍ ବଣ୍ଟନ ଓ ସଂଯୋଗର ଉପଲବ୍ଧତା ପାଇଁ ସେକେଣ୍ଡାରୀ ବ୍ୟାଣ୍ଡୱିଥ୍
ଯୋଗାଇବାର ଯୋଜନା ରହିଛି । ଏଥିସହ ଭୁବନେଶ୍ୱର ସିଇଟି କଲେଜକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ତିନି ଜିଲ୍ଲା ବୃହତ୍ ପାନୀୟ ଜଳପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଓୟୁଟିଆର ଢାଞ୍ଚାରେ ଏକକ ବିଶ୍ୱବିଦ୍ୟାଳୟ ହେବ ସିଇଟି କଲେଜ । ଓୟୁଟିଆର ଅର୍ଥ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ । ୩ ଜିଲ୍ଲା ପାଇଁ ବୃହତ୍ ପାନୀୟ ଜଳପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । କେନ୍ଦୁଝର, ସୁନ୍ଦରଗଡ଼ ଓ କଟକରେ ହେବ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ।

ସେହିପରି ଡୁଡୁକାଗୋପପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ । ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା । ସେହିପରି ଓମ୍ବାଡିସି ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ୍ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଜିଲ୍ଲାର ୪ଟି ବ୍ଲକ୍ରେ ୪୯ଟି ପଞ୍ଚାୟତରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ । କଟକ ପାଇଁ ଜେଜେଏମ୍ ଯୋନାରେ ବୃହତ୍ ଗ୍ରାମୀୟ ପାନୀୟ ଜଳପ୍ରକଳ୍ପକୁ ଅନୁମୋଦନ ମିଳିଛି । କଟକର ୪ଟି ବ୍ଲକର ୨୬୨ ଗାଁକୁ ଜଳଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ କଟକ ଜିଲ୍ଲାର ଆଠଗଡ଼, ତିଗିରିଆ, ବାଙ୍କୀ ଓ ଟାଙ୍ଗୀ-ଚୌଦ୍ୱାର ଲୋକେ ଉପକୃତ ହେବେ ।

ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ବ୍ଲକରେ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ୨୦୨୩ ଅଗଷ୍ଟ ୩୧ ଅଗଷ୍ଟ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ଗ୍ରୁପ୍ ସି କର୍ମଚାରୀଙ୍କ ଲାଗି ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ପଦୋନ୍ନତି ଲାଗି ୫ବର୍ଷର ସିସିଆର କିମ୍ବା ପାରଦର୍ଶିତା ରିପୋର୍ଟ(ପିଏଆର) ଆବଶ୍ୟକ ପଡ଼ିବ ନାହିଁ । ଏହା ବଦଳରେ କାମ କରୁଥିବା ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ମନ୍ତବ୍ୟ ତାଙ୍କୁ ପରବର୍ତ୍ତୀ ପାହାଚ ଚଢ଼ିବା ଅର୍ଥାତ୍ ପଦୋନ୍ନତି ଦେବାରେ ସହାୟକ ହେବ । ଏଥିନେଇ ୧୯୯୨ ମସିହାର ଓଡ଼ିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀରେ ସରକାର ସଂଶୋଧନ କରିଛନ୍ତି । ଏଣିକି ଓଏସ୍ଏସ୍ଏସ୍ସି ଦ୍ୱାରା ପିଇଓ ନିଯୁକ୍ତି ହେବେ । ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ୍ ପଥର ଉପରୁ ରୟାଲିଟି ଛାଡ଼ ହେବ । ପୁରୀରେ ଆରମ୍ଭ ହେଉଥିବା ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳ ବିକାଶରେ ଲାଗିବ ବୋଲି କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋଟ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା । ବୈଠକ ପରେ ଉପରୋକ୍ତ ପ୍ରସ୍ତାବ ଅନୁମୋଦନ ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ ।

Comments are closed.