ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା

67

ନୂଆଦିଲ୍ଲୀ : ନୂଆ ଶିକ୍ଷାନୀତିରେ ହୋଇଥିବା ବ୍ୟବସ୍ଥା ଆଧାରରେ ଦେଶର ୮ଟି ରାଜ୍ୟର ୧୪ଟି କଲେଜ ଆଞ୍ଚଳିକ ଭାଷାରେ ପିଲାମାନଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବଙ୍ଗଳା, ହିନ୍ଦୀ, ମରାଠୀ ଓ ତେଲୁଗୁ ଭାଷାରେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ୧୪ଟି କଲେଜରେ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହେବ । ତେବେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ାକୁ ଅନୁମତି ମିଳିଥିଲେ ହେଁ ରାଜ୍ୟର କୌଣସି କଲେଜରେ ଏଯାଏ ଏହାର ବ୍ୟବସ୍ଥା ହୋଇନାହିଁ । କେବେ ଇଞ୍ଜିନିୟରିଂ କଲେଜଗୁଡ଼ିକ ପିଲାମାନଙ୍କୁ ଓଡ଼ିଆ ଭାଷାରେ ପାଠ ପଢ଼ିବାର ସୁଯୋଗ ଦେବେ ତା’ର ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ୧୪ଟି କଲେଜରେ ହିନ୍ଦୀ, ମରାଠୀ, ତେଲୁଗୁ ଓ ବେଙ୍ଗଲୀ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଏଥିସହ କଲେଜଗୁଡ଼ିକର ଏପରି ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଆଞ୍ଚଳିକ ଭାଷାରେ ପାଠପଢ଼ା ଆରମ୍ଭ କରିଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ରାଜସ୍ଥାନରୁ ୨ଟି ଥିବାବେଳେ ଆନ୍ଧ୍ର ପ୍ରଦେଶରେ ୧, ଉତ୍ତର ପ୍ରଦେଶରେ ୫ଟି, ମହାରାଷ୍ଟ୍ରରେ ୨ଟି, ମଧ୍ୟପ୍ରଦେଶରେ ୧, ପଶ୍ଚିମବଙ୍ଗରେ ୧ଟି ଓ ତାମିଲନାଡୁରେ ୨ଟି ରହିଛି । କଲେଜଗୁଡ଼ିକର ଏପରି ପଦକ୍ଷେପକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ସ୍ୱାଗତ କରିଛନ୍ତି । ଏଥିସହ ଅଧିକରୁ ଅଧିକ ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାମାନଙ୍କୁ ଆଞ୍ଚଳିକ ଭାଷାର ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ନୂଆ ଶିକ୍ଷାନୀତି ଆଧାରରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିବାକୁ ଅନୁମତି ଦେଇଥିବାରୁ ଉପ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଛନ୍ତି ।

Comments are closed.