ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି : ସାଇଣ୍ଟିଫିକ୍ ଓ ପୋଲିସର ତନାଘନା

69

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢି ଚାଲିଛି । ଏହାର ରହସ୍ୟ ଉଦ୍ଘାଟନ ପାଇଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ବ୍ୟାପକ ତନାଘନା ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡିରେ ଯୁବ ଓଏଫ୍ଏସ୍ ଅଫିସର ତଥା ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ପ୍ରାଣ ହରାଇବା ଘଟଣା ଅଧିକ ରହସ୍ୟ ଘେରକୁ ଯାଇଛି । ଏସିଏଫ୍ କ୍ୱାର୍ଟର୍ସରେ ଜଳିଥିବାର କୌଣସି ସଂକେତ ମିଳିନଥିବା ଜଣାପଡିଛି । ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର, ପରିବାର ସଦସ୍ୟ ଏବଂ ଆଇନଜୀବୀ ପାର୍ଥ ସାରଥୀ ନାୟକ ପାରଳାରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ କ୍ୱାର୍ଟର୍ସ ଚାବି ଖୋଲି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲେ ।

ସୌମ୍ୟଙ୍କ କ୍ୱାର୍ଟର୍ସ ଚାବି ଡିଏଫଓଙ୍କ ପାଖରେ ଥିଲା । ହେଲେ କ୍ୱାର୍ଟର୍ସ କୋଠରୀ ଭିତରେ ନିଆ ଲାଗିଥିବା କିମ୍ବା ସେଭଳି କିଛି ଘଟଣା ଘଟିଥିବା ସମ୍ପର୍କରେ କୌଣସି ସୁରାକ୍ କିମ୍ବା ତଥ୍ୟ ହାସଲ କରିପାରି ନଥିଲେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ ଅଧିକାରୀ । କ୍ୱାର୍ଟର୍ସର ସବୁ ଜାଗା ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା । ହେଲେ ନିଆଁରେ ପୋଡି ହେଲା ଭଳି ପୋଲିସ କୌଣସି ସଙ୍କେତ ପାଇନଥିଲା । କେବଳ କୋଠରି ମଧ୍ୟରେ ସାମାନ୍ୟ କିଛି ଧୂଆଁ ଗନ୍ଧ ବାରି ହେଉଥିଲା । ପୋଲିସ କୋଠରି ମଧ୍ୟରୁ କିରୋସିନି ଗନ୍ଧ ଅନୁଭବ କରି ନଥିଲା । କୋଠରୀ ମଧ୍ୟରେ ଅନେକ ପ୍ଲାଷ୍ଟିକ ସାମଗ୍ରୀ, ପଲିଥିନ୍, କାଗଜପତ୍ର ଓ ମଢି ଡବା ଇତ୍ୟାଦି ରହିଥିବା ବେଳେ ଏ ସବୁରେ କୌଣସି ପ୍ରକାର ନିଆଁ ଲାଗିଥିବା ଚିହ୍ନ ମଧ୍ୟ ନଥିଲା ।

କୋଠରୀ ମଧ୍ୟରେ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇଥିବାର ସେମିତି କିଛି ଉପଯୁକ୍ତ ପ୍ରମାଣ ବି ମିଳିଲା ନାହିଁ । ତେବେ ଏ ନେଇ ଗଣମାଧ୍ୟମର ଆଗରେ ପୋଲିସ କୌଣସି ସୂଚନା ଦେଇ ନଥିବା ବେଳେ ଅତିରିକ୍ତ ଏସ୍ପି ବାମଦେବ ସିଂ ମଧ୍ୟ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନ କରି ଦେଇଥିଲେ । ତେବେ ଏସିଏଫ୍ ଙ୍କ ମୃତ୍ୟୁ ଘଟଣାକୁ ପୋଲିସ ଅଧିକ ଗମ୍ଭୀରତାର ସହ ନେଇଛି । ରହସ୍ୟ ଉପରୁ ପରଦା ହଟିଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦିନେ ଦୁଇଦିନ ମଧ୍ୟରେ ଜେରା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ସେଭଳି ମୃତ ସୌମ୍ୟଙ୍କ ପତ୍ନୀଙ୍କୁ ମଧ୍ୟ ପାରଳାଖେମୁଣ୍ଡି ଆଣି ଜେରା କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି । ଏସିଏଫ୍ ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ଓ ରୋଷେୟାଙ୍କ ନାମ ଦର୍ଶା ଯାଇଥିବା ବେଳେ ସେମାନଙ୍କ ଜେରା ପରେ ପ୍ରକୃତ ତଥ ପଦାକୁ ଆସିବ ବୋଲି ପୋଲିସ କହିଛି ।

Comments are closed.