ବାହୁଡ଼ା ସଜବାଜ : ଆଜି ରାତିରୁ କର୍ଫ୍ୟୁ

68

ପୁରୀ : ଆସନ୍ତା କାଲି ବାହୁଡ଼ା ଯାତ୍ରା । ପୁରୀ ଏସ୍ପି କେ. ବିଶାଲ ସିଂହ ବଡଦାଣ୍ଡରେ ବୁଲି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ୍, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ସହ ଏସ୍ପି ଆଲୋଚନା କରିବା ସହ ଏସ୍ଓପି ଅନୁପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । ଡ୍ରୋନ୍ ମାଧ୍ୟମରେ ମଧ୍ୟ ସର୍ଭେ କରାଯାଉଛି । ସେପଟେ ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ଶୃଙ୍ଖଳିତ କରିବା ନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ପୁରୀ ଜିଲ୍ଲାପାଳ ଏସ୍ଓପିକୁ କଡାକଡି ଭାବେ କିଭଳି ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି । ସୋମବାର ରାତି ୮ଟାରୁ ବୁଧବାର ରାତି ୮ ଯାଏଁ ପୁରୀ ସହରରେ କର୍ଫ୍ୟୁ କଟକଣା କରାଯାଇଛି । ବାହୁଡା ଯାତ୍ରାରେ କର୍ଫ୍ୟୁ ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କୁ ନିବେଦନ କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପର୍ଯ୍ୟାୟକ୍ରମେ ଲଜ୍ ସିଲ୍ କରାଯାଉଛି ଓ ଖିଲାପକାରୀଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସେପଟେ ଶୃଙ୍ଖଳିତ ଭାବେ ତିନିରଥର ଦକ୍ଷିଣ ମୋଡ ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ଆସିବାପରେ ପରମ୍ପରା ଅନୁସାରେ ପ୍ରଥମେ ଦର୍ପଦଳନ ରଥକୁ ଟଣା ଯାଇ ନାକଚଣା ଦ୍ୱାରରେ ଲଗାଯାଇଥିଲା । ପରେ ବଳଭଦ୍ରଙ୍କ ତାଳଧ୍ୱଜ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ଲଗାଯାଇଥିଲା । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘରଗୁଡ଼ିକୁ ସର୍ଭେ କରାଯିବା ସହ ଭିଡିଓଗ୍ରାଫି ମାଧ୍ୟମରେ ରଖାଯିବ ନଜର । ଘରଛାତ କି ବାଲକୋନି ଉପରୁ କେହି ରଥ ଦେଖିପାରିବେ ନାହିଁ ।

Comments are closed.