ଶାସକ-ବିରୋଧୀ ପ୍ରସ୍ତୁତ : ସରଗରମ ହେବ ସଂସଦ ଅଧିବେଶନ

63

-ସର୍ବଦଳୀୟ ବୈଠକ ଡାକିଲେ ସରକାର
-ବିଭିନ୍ନ ପ୍ରସଙ୍ଗରେ ହୁଲସ୍ତୁଲ୍ ହୋଇପାରେ ଗୃହ
-ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି
-ବିରୋଧୀଙ୍କୁ ମୁକାବିଲା ପାଇଁ ସରକାର ତୟାର୍
-ସକାରାତ୍ମକ ବିତର୍କ ଉପରେ ମୋଦୀଙ୍କ ଗୁରୁତ୍ୱ
-ସମସ୍ତଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ନୂଆଦିଲ୍ଲୀ : ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଦେଶରେ ମହାମାରୀର ଘାତକ ଦ୍ୱିତୀୟ ୱେଭ୍ ଚାଲିଥିବା ବେଳେ ଏହା ହେଉଛି ପ୍ରଥମ ଅଧିବେଶନ । ଅଧିବେଶନ ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ତୈଳଦର ବୃଦ୍ଧି, କୋଭିଡ୍ ପରିଚାଳନା ଏବଂ ଟିକା ଅଭାବ ଭଳି ପ୍ରସଙ୍ଗ ପୂରା ଅଧିବେଶନକୁ ସରଗରମ କରିପାରେ । ତେବେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସର୍ବଦଳୀୟ ବୈଠକରେ ସରକାର କହିଛନ୍ତି । କାଲି ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ସରକାର । ସମସ୍ତ ସଦସ୍ୟଙ୍କ ମତାମତ ଲୋଡିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୩୩ ରାଜନୈତିକ ଦଳର ୪୦ରୁ ଅଧିକ ନେତା ଯୋଗ ଦେଇଥିଲେ । ସଂସଦରେ ସକାରାତ୍ମକ ଓ ଗଠନମୂଳକ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

ସଂସଦର ନିୟମ ଭିତରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ସମସ୍ତ ପ୍ରତିନିଧିଙ୍କ ପ୍ରସ୍ତାବ ମୂଲ୍ୟବାନ ବୋଲି ମୋଦୀ କହିଛନ୍ତି । ଯାହା ଜଣାପଡ଼ୁଛି ଏହି ଅଧିବେଶନଟି ଘମାଘୋଟ ହେବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଲମ୍ବା ପ୍ରସଙ୍ଗ ରହିଛି । ବିଶେଷକରି ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଦେଶର ଅଧିକାଂଶ ସହରରେ କେବେଠାରୁ ପେଟ୍ରୋଲ ଦର ୧୦୦ଟଙ୍କା ପାର କରିଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁ ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି । ସେପଟେ କୋଭିଡ଼ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଦେଶରେ ଟିକାକରଣ କଚ୍ଛପ ଗତିରେ ଚାଲିଛି । ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି ।

ଅନ୍ୟପକ୍ଷରେ ଏହାର ମୁକାବିଲା ପାଇଁ ଏନ୍ଡିଏ ମଧ୍ୟ ପ୍ରସ୍ତୁତ ରହିଛି । ସର୍ବଦଳୀୟ ବୈଠକ ପରେ ଏନ୍ଡିଏର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ଅନ୍ୟପକ୍ଷରେ ସଂସଦ ସୁରୁଖୁରୁରେ ଚାଲିବାକୁ ଲୋକସଭାର ସମସ୍ତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ସୂଚନାଯୋଗ୍ୟ ଯେ, ସଂସଦ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ତାରିଖରେ ଶେଷ ହେବ । ମୋଟ ୧୯ଟି କାର୍ଯ୍ୟଦିବସ ରହିଥିବା ବେଳେ ୩୦ରୁ ଅଧିକ ବିଲ୍ ପାସ୍ କରିବାକୁ ସରକାର ଯୋଜନା ରଖିଛନ୍ତି । ପୂର୍ବାହ୍ନ ୧୧ରୁ ସନ୍ଧ୍ୟା ୬ଟା ଯାଏ ଗୃହ କାର୍ଯ୍ୟ ଚାଲିବ ।

ବିଜେଡି ଦୋହରାଇଲା ୩ ପ୍ରସଙ୍ଗ :

ସର୍ବଦଳୀୟ ବୈଠକ ପରେ ବିଜେଡି ସଂସଦୀୟ ଦଳ ନେତା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ବୈଠକରେ ୩ଟି ମୁଖ୍ୟ ପ୍ରସଙ୍ଗ ଉଠାଇଛି । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଦାବି ହେଉଛି ମହିଳା ସଂରକ୍ଷଣ ବିଲ୍ ଆଣିବା । ତେଣୁ ଏହି ବିଲ୍ ଗୃହରେ ଅଣାଯାଉ । ଅନୁସୂଚିତ ଜନଜାତି ତାଲିକା ବହୁବର୍ଷ ଧରି ପଡ଼ିରହିଛି । ସେହି ବିଲକୁ ମଧ୍ୟ ଅଣାଯାଉ । ଏଥିସହିତ ସଂସଦୀୟ ଦଳ ନେତା କହିଛନ୍ତି ଯେ, ବିଧାନ ପରିଷଦ ବିଲ୍ ନେଇ ପୂର୍ବରୁ ଶାହା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଏଯାଏ ହୋଇପାରିନାହିଁ । ବଳକା ଚାଉଳ କେନ୍ଦ୍ର ନେବା ସହିତ ଓଡ଼ିଶା ସବ୍ସିଡି ଟଙ୍କା ମିଳୁ । ତୈଳ ଓ ରନ୍ଧନ ଗ୍ୟାସ୍ ସେସ୍ରୁ ରାଜ୍ୟକୁ କିଛି ଭାଗ କୋଭିଡ୍ ପାଇଁ ମିଳୁ । ଏଥିସହିତ ଏମ୍ଡି ଲ୍ୟାଡ୍ ଦିଆଯାଉ ବୋଲି ବିଜେଡି ଦାବି କରିଛି ।

Comments are closed.