କରୋନା ପରେ ମଙ୍କି-ବି ଭୂତାଣୁ ଭୟ

57

ବେଜିଂ : କରୋନା ଭୟ ମନରୁ ନ ଯାଉଣୁ ପୁଣି ବିଶ୍ୱବାସୀଙ୍କୁ ଡରାଇଲାଣି ମଙ୍କି ବି ଭାଇରସ୍ । ଚୀନ୍ ର ବେଜିଂରେ ଏଥିରେ ସଂକ୍ରମିତ ହୋଇ ଜଣେ ପ୍ରାଣୀ ଚିକିତ୍ସକଙ୍କ ମୃତ୍ୟୁ ହେବା ପରେ ବିଶ୍ୱବ୍ୟାପି ଭୟ ଓ ଉଦ୍ବେଗ ଦେଖାଦେଇଛି । ଏହି ଆଲଫା ହର୍ପେସ ଭାଇରସ୍ ମାଙ୍କଡଠାରୁ ମଣିଷକୁ ବ୍ୟାପୁଥିବା ଜଣାଯାଇଛି । ଏଥିପାଇଁ କୌଣସି ଚିକିତ୍ସା ପଦ୍ଧତି ନଥିବାରୁ ଏଥିନେଇ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ବେଜିଂରେ କାର୍ଯ୍ୟ କରୁଥିବା ଜଣେ ଭେଟରିନାରୀ ସର୍ଜନ ବିଭି ଭାଇରସ୍ରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ସେ ମାର୍ଚ୍ଚ ମାସରେ ଦୁଇଟି ମୃତ ମାଙ୍କଡ଼ଙ୍କ ଶରୀରକୁ କାଟି ପରୀକ୍ଷା କରୁଥିଲେ ।

ସମ୍ଭବତଃ ଏହି ସମୟରେ ହିଁ ସେ ଭାଇରସ ସଂସ୍ପର୍ଶରେ ଆସିଥିବା କୁହାଯାଉଛି । ଭାଇରସ ସଂସ୍ପର୍ଶରେ ଆସିବା ପରେ ତାଙ୍କ ନାକରୁ ପାଣି ବାହାରିବା ସହ ବାନ୍ତି ହୋଇଥିଲା । ମାସକ ପରେ ଭୀଷଣ ଜ୍ୱର ଓ ପରେ ସ୍ନାୟୁଗତ ରୋଗରେ ସେ ପଡ଼ିଥିଲେ । ସେ ଏକାଧିକ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ହେଲେ ମେ’ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମଙ୍କି ବିଭି ହେଉଛି ଗୋଟିଏ ଆଲଫା ହର୍ପେସ ଭାଇରସ୍ । ଏହା ୧୯୩୨ରୁ ହିଁ ପ୍ରଥମ ଚିହ୍ନଟ ହୋଇଥିଲା । ମାଙ୍କଡ଼ ଶରୀରରୁ ବାହାରୁଥିବା ଟିସୁ ଜନିତ ଫ୍ଲୁଇଡର ଅଦଳବଦଳ ଓ ସିଧାସଳଖ ସଂସ୍ପର୍ଶରେ ଆସିଲେ ଭାଇରସ ସାଧାରଣତଃ ସଂକ୍ରମିତ ହୋଇଥାଏ । ସନ୍ଦିଗ୍ଧ ଲୋକଙ୍କ ଫ୍ଲୁଇଡ୍, ରକ୍ତ, ନାସାଲ୍ ସ୍ୱାବ୍, ଥ୍ରୋଟ୍ ସ୍ୱାବ୍ ଓ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଏହି ନମୁନାଗୁଡିକ ଚାଇନା ସିଡିସିର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଭାଇରାଲ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନକୁ ପଠାଯାଇଥିଲା, ଯେଉଁଠାରେ ଏହା ମଙ୍କୀ ବିଭି ବୋଲି ଜଣାପଡ଼ିଥିଲା । ବିଭିକୁ ହର୍ପସ୍ ବି, ମଙ୍କି ବି ଭାଇରସ୍, ହର୍ପେସଭାଇରସ୍ ସିମିଆ ଓ ହର୍ପେସ ଭାଇରସ୍ ବି ବୋଲି ମଧ୍ୟ କୁହାଯାଏ ।

୧୯୩୨ ମସିହାରେ ପ୍ରଥମଥର ପାଇଁ ଏହା ଚିହ୍ନଟ ହୋଇଥିଲା । ଏହାପରେ ଏଥିରେ ୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଭାଇରସ ଲାଳ, ମଳ, ପରିସ୍ରା, ମସ୍ତିଷ୍କ କିମ୍ବା ମାକେକର ମେରୁଦଣ୍ଡ ଟିସୁରେ ଦେଖାଯାଏ । ଯାହା ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହିଥାଏ । ସାଧାରଣ ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା କମ୍ ଥିବାବେଳେ ଲ୍ୟାବ୍ରେ କାମ କରୁଥିବା କର୍ମ·ରୀ, ପ୍ରାଣୀ ଚିକିତ୍ସକ ଓ ଯେଉଁମାନେ ମାଙ୍କଡ କିମ୍ବା ସେମାନଙ୍କ ନମୁନାର ସଂସ୍ପର୍ଶରେ ଆସିଥାଆନ୍ତି, ସେମାନଙ୍କ ପ୍ରତି ବିପଦ ଅଧିକ ରହିଥାଏ । ମଙ୍କୀ ବି ଭାଇରସ୍ର ପ୍ରଥମ ଲକ୍ଷଣ ସାଧାରଣ ଫ୍ଲୁ ପରି । ଜ୍ୱର, ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ମୁଣ୍ଡବିନ୍ଧା ଆଦି ଏହାର ଲକ୍ଷଣ । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ଦେହରେ ଫୋଟକା ହୋଇ କ୍ଷତ ହୋଇପାରେ । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ବାନ୍ତି, ପେଟ ଯନ୍ତ୍ରଣା ମଧ୍ୟ ଏହାର ଲକ୍ଷଣ । ମଙ୍କୀ ବି ଭାଇରସକୁ ପ୍ରତିରୋଧ କରିବା ପାଇଁ ଏଯାଏ କୌଣସି ଟିକା ବାହାରି ନାହିଁ । ଏହି ଭାଇରସରେ ମୃତ୍ୟୁ ଆଶଙ୍କା ୭୦ ରୁ ୮୦% । ଭାଇରସ ସଂସ୍ପର୍ଶରେ ଆସିବାର ୧ରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଏ ।

Comments are closed.