୩ବର୍ଷ ଲାଗିଲାଣି ସରୁନି ଗ୍ରାମ୍ୟ ସଡ଼କ ରାସ୍ତା

0 72

ପିପିଲି,୨୦/୭:ଦୀର୍ଘ ୩ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ଗ୍ରମ୍ୟ ସଡ଼କ ରାସ୍ତା କାମ ସରୁନି । ଅଧାପନ୍ତରିଆ ରାସ୍ତା କାମ କରି ଠିକାଦାର ଛୁ ମାରିଥିବାବେଳେ ଦୀର୍ଘ ୨ବର୍ଷ ପରେ ଏବେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ପୁରୀ ଜାତୀୟ ରାଜପଥରୁ ପିପିଲି ବୀରପୁରୁଷୋତମପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମ୍ପୃକ୍ତ ଠିକାଦାର ପ୍ରାୟ ୧କିମି କଂକ୍ରୀଟ ରାସ୍ତା କରିଥିବାବେଳେ କାମ ନସରୁଣୁ ଉକ୍ତ ରାସ୍ତାରୁ ଚିପ୍ସ ଉଠିଗଲାଣି । ବୀରପୁରୁଷୋତମ ଗାଁର ପ୍ରବେଶ ପଥରେ ଥିବା ୨ଟି ବିପଦପୂର୍ଣ୍ଣ ଭଙ୍ଗାଦଦରା କଲଭର୍ଟ ବା ପୋଲ ଥିବାବେଳେ ଏହାକୁ ପୁନଃନିର୍ମାଣ କି ଗାର୍ଡ଼ ୱାଲ କରାଯାଇନି । ଫଳରେ ସେଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି କାର୍ଯ୍ୟ କରାଯାଉଥିବାବେଳେ ସମ୍ପୃକ୍ତ ବିଭାଗ ଚୁପ ରହିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । କଲଭର୍ଟ ନିର୍ମାଣ ଜିଦରେ ସ୍ଥାନୀୟ ଯୁବକମାନେ ଆଜି ଠିକାଦାର ଓ ଯନ୍ତ୍ରୀଙ୍କୁ ଘେରିଥିବା ଜଣାଯାଇଛି ।
ସୂଚନା ଅନୁସାରେ ୨୦୧୪ରେ ତତକାଳିନ କୃଷିମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥି ଜାତୀୟ ରାଜପଥରୁ ବୀରପୁରୁଷୋତମପୁର ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ୫କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଇଁ ଶୁଭ ଦେଇଥିଲେ । କିନ୍ତୁ ଉକ୍ତ ରାସ୍ତା କାମ ଆରମ୍ଭ ହେଲା ୨୦୧୮ରେ । ଏଥିପାଇଁ ୧କୋଟି ୭୪ ଲକ୍ଷ ୬୧ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କାର୍ଯ୍ୟାଦେଶ ଅନୁଯାୟୀ ଏହି ରାସ୍ତାର ୩କିମି ୧୫୦ମିଟର ପିଚୁ ଏବଂ ୧କିମି୮୫୦ ମିଟର କଂକ୍ରୀଟ କରାଯିବାର ନିୟମ ରହିଛି । କାର୍ଯ୍ୟାଦେଶ ଅନୁଯାୟୀ ଏପ୍ରିଲ ୨୦୧୮ରେ ଉକ୍ତ କାମ ଆରମ୍ଭ ହୋଇ ଏପ୍ରିଲ ୨୦୧୯ ସୁଦ୍ଧା ଉକ୍ତ କାର୍ଯ୍ୟ ଶେଷ ହେବା କଥା । ତେବେ ଦୀର୍ଘ ୩ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଉକ୍ତ ରାସ୍ତା କାର୍ଯ୍ୟ ସରୁନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ବୀରପୁରୁଷୋତମ ଗାଁର ପ୍ରବେଶ ପଥରେ ଥିବା ୨ଟି ବିପଦପୂର୍ଣ୍ଣ କଲଭର୍ଟ ବା ପୋଲ ନିର୍ମାଣ କରାଯାଇନି । ସେଠାରେ ରାସ୍ତା ଅଣଓସାରିଆ ହେବା ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ଏବେ ପୁଣି ରାସ୍ତା କାର୍ଯ୍ୟ କରାଯାଉଥିବାବେଳେ ତାହା ପୁଣି ନିମ୍ନମାନର ଓ କାର୍ଯ୍ୟାଦେଶ ଅନୁଯାୟୀ କରାଯାଉନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ରାସ୍ତାର ହାଟସାହି ଠାରେ କଲଭର୍ଟ ନିର୍ମାଣ ନକରି ୨ଟି ସ୍ଥାନରେ ହୋମପାଇପ ପକାଇ କାମଚଳା କାର୍ଯ୍ୟ କରାଯାଇଛି ଓ ଯାହାଫଳରେ ସେଠାରେ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେବ ବୋଲି ଅଭିଯୋଗ ହୋଇଛି । ବିଭାଗୀୟ ଏସଡ଼ିଓ ପାର୍ଥଦେବ ସାହୁଙ୍କୁ ପଚାରିବାରେ ଉକ୍ତ କାର୍ଯ୍ୟକୁ ଠିକଭାବେ ତଦାରଖ କରାଯାଉଛି, ରାସ୍ତାକୁ ଓସାର କରାଯାଉଛି । ଏବେ କଲଭର୍ଟ ନିର୍ମାଣ ନିମନ୍ତେ ଅର୍ଥ ବ୍ୟବସ୍ଥା ନାହିଁ । ତେବେ ସେଠାରେ କଲଭର୍ଟ ନିର୍ମାଣ ନିମନ୍ତେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଥିଲେ ।
ଫଟୋ ଆଟାଚ ଅଛି ।

Leave A Reply

Your email address will not be published.