ଡ୍ରୋନ ହମଲା ପାଇଁ ମସୁଧା, ହାଇଆଲର୍ଟ ଜାରି

67

-ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ହୋଇପାରେ ଆକ୍ରମଣ
-ଅଗଷ୍ଟ ୧୬ ଯାଏ ଡ୍ରୋନ ଉଡ଼ାଣ ଉପରେ କଟକଣା

ନୂଆଦିଲ୍ଲୀ : ଦେଶର ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ହମଲା ଆଶଙ୍କା ପ୍ରକାଶ ପାଇଛି । ପାକିସ୍ତାନରେ ସକ୍ରିୟ କିଛି ଆତଙ୍କୀ ସଂଗଠନ ଅଗଷ୍ଟ ୧୫ ସ୍ୱାଧୀନୀତା ଦିବସ ପୂର୍ବରୁ ଦିଲ୍ଲୀରେ ବଡ଼ଧରଣର ହମଲା କରିବାକୁ ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାକୁ ସେମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଚଳିତ ମୌସୁମୀ ଅଧିବେଶ ସମୟରେ ଦିଲ୍ଲୀରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ହମଲା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏପରି ହମଲା କରି ସେମାନେ ଅଗଷ୍ଟ ୧୫ ପୂର୍ବରୁ ଦେଶରେ ହିଂସାର ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି । ବିଶେଷକରି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଗଷ୍ଟ ୫ ରହିଛି । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିଲା । ଏହାକୁ ବିରୋଧ କରୁଥିବା ପାକିସ୍ତାନ ଓ କିଛି ଆତଙ୍କୀ ସଂଗଠନ ସେହିଦିନ ଭାରତର ରାଜଧାନୀ ଦିଲ୍ଲୀରେ ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆକ୍ରମଣ ବ୍ୟତୀତ ଜାତୀୟ ରାଜଧାନୀରେ ବିଭିନ୍ନ ପ୍ରକାରର ଅଶାନ୍ତି ସୃଷ୍ଟି କରିବାକୁ ମଧ୍ୟ ଯୋଜନା ହୋଇଛି । ସେମାନେ ଦିଲ୍ଲୀରେ ଅପରେସନ “ଜେହାଦ’ ଆରମ୍ଭ କରିବାକୁ ମସୁଧା କରିଥିବା ଗୁଇନ୍ଦା ବିଭାଗ କହିଛି । ନିକଟରେ ଜମ୍ମୁରେ ଥିବା ବାୟୁସେନା ବେସ୍ ଉପରେ ଆତଙ୍କୀମାନେ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲେ । ଦିଲ୍ଲୀରେ ମଧ୍ୟ ସେପରି ଡ୍ରୋନ୍ ଦ୍ୱାରା ଆକ୍ରମଣ ହେବାର ଆଶଙ୍କା ରହିଛି । ପୂର୍ବରୁ ହିଁ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅଗଷ୍ଟ ୧୬ ଯାଏ ଡ୍ରୋନ ଉଡ଼ାଣ ଉପରେ କଟକଣା ଲଗାଯାଇଛି । ଏବେ ଗୁଇନ୍ଦା ବିଭାଗ ଆକ୍ରମଣର ଆଶଙ୍କା ଥିବା କହିବା ପରେ ଦିଲ୍ଲୀ ପୁଲିସ୍ କମିଶନର ବାଲାଜୀ ଶ୍ରୀବାସ୍ତବ ଆକ୍ସନ ମୋଡକୁ ଚାଲି ଆସିଛନ୍ତି । ସେ ଡିସିପି, ଯୁଗ୍ମ ସିପି ଓ ସମସ୍ତ ଜିଲ୍ଲାର ଅନ୍ୟ ଗୁଇନ୍ଦା ଅଧିକାରୀମାନଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ।

ବିଶେଷକରି ଡ୍ରୋନ ଉପରେ ନଜର ରଖିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ସମସ୍ତ ଷ୍ଟେସନ ହାଉସ ଅଫିସରମାନେ କଣ୍ଟ୍ରୋଲ ରୁମକୁ ଡ୍ରୋନ ସମ୍ପର୍କରେ ତଥ୍ୟ ମିଳିବା ମାତ୍ରେ ଏହାର ଯାଞ୍ଚ କରି ସମ୍ଭାବ୍ୟ ବିପଦ ବାବଦରେ ତଥ୍ୟ ହାସଲ କରିବେ ବୋଲି କମିଶନର କହିଛନ୍ତି । ଡ୍ରୋନ ବିପଦ ପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ ଗୋଟିଏ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ତିଆରି କରାଯାଇଛି । ଐତିହାସିକ ଲାଲକିଲ୍ଲାରେ ୪ଟି ଆଣ୍ଟି ଡ୍ରୋନ ସିଷ୍ଟମ ଖଞ୍ଜା ଯାଇଛି । ଦିଲ୍ଲୀ ପୁଲିସ୍ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ପ୍ରଥମଥର ପାଇଁ ଡ୍ରୋନ ସହ ଲଢ଼େଇ କରିବାର ଟ୍ରେନିଂ ମଧ୍ୟ ଦିଆଯାଇଛି ।

Comments are closed.