ପେଗାସସ୍ ରିପୋର୍ଟ: ଫ୍ରାନ୍ସରେ ଆରମ୍ଭ ହେଲା ତଦନ୍ତ

71

ପ୍ୟାରିସ : ଇସ୍ରାଏଲ ସ୍ପାଇୱେୟାର ପେଗାସସ୍ ରିପୋର୍ଟକୁ ନେଇ ଭାରତ ସମେତ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ପେଗାସସ୍ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଛି । ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଥିବା ଜଣାପଡ଼ିଛି । ଭାରତରେ ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ଫ୍ରାନ୍ସ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ମୋର୍କାନ ଗୁଇନ୍ଦା ବିଭାଗ ପେଗାସସ୍ ଦ୍ୱାରା ଫ୍ରାନ୍ସର ଏକାଧିକ ସାମ୍ବାଦିକଙ୍କ ଉପରେ ନଜର ରଖିଥିବା ଜଣାପଡ଼ିବା ପରେ ପ୍ୟାରିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି । ଏ ସମ୍ପର୍କରେ ଫ୍ରାନ୍ସ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ତଦନ୍ତ ମୁଖ୍ୟତଃ ୧୦ଟି ଭିନ୍ନ ଚାର୍ଜ ଉପରେ କରାଯିବ । ଏହା ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର, ବ୍ୟକ୍ତିଗତ ଇଲକଟ୍ରୋନିକ୍ସ ଡିଭାଇସରେ କୌଣସି ଅନୈତିକ କାର୍ଯ୍ୟ ଓ ବ୍ୟକ୍ତିଗତ ଗୋପାନୀୟତାକୁ ଉଲ୍ଲଙ୍ଘନ କରାଯାଇଛି କି ନାହିଁ, ତା’ର ଯାଞ୍ଚ ରହିଛି । ସୋମବାର ଅନୁସନ୍ଧାନ ମୂଳକ ଖବର ପ୍ରକାଶ କରୁଥିବା ମିଡିଆପାର୍ଟ ବିଧିବଦ୍ଧ ଭାବେ ଗୁଇନ୍ଦାଗିରି ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲା । ଆଉ ଏକ ଖବରକାଗଜ ଲେ କାନାଡର୍ ଇନଚାଇନେ ମଧ୍ୟ ସମାନ ପଦକ୍ଷେପ ନେବ । ଏହି ଦୁଇ ସଂସ୍ଥା ମୋର୍କୋ ବିରୋଧରେ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି ଅଭିଯୋଗ ଆଣିଛନ୍ତି । ହେଲେ ମୋର୍କୋ ଏହାକୁ ଖଣ୍ଡନ କରିଛି ।

ସୂଚନା ଅନୁସାରେ, ଆମେରିକାର ୱାଶିଂଟନ୍ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର ସହ ଆମ୍ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍ ଷ୍ଟୋରିଜ୍ ମିଳିତ ଭାବେ ପେଗାସସ୍ ସ୍ପାଇୱେୟାର ଉପରେ ଯାଞ୍ଚ କରିଥିଲେ । ଏହି ସମୟରେ ସମଗ୍ର ବିଶ୍ୱର ପ୍ରାୟ ୫୦ ହଜାର ଫୋନ ନମ୍ବର ଏହି ସ୍ପାଇୱେୟାର ଟାର୍ଗେଟରେ ରହିଥିବା ଖବର ମିଳିଛି ।

Comments are closed.