ମହଣ ମହଣ ସୁନାରେ ଝଟକିଲେ : ରାଜରାଜେଶ୍ୱର ବେଶରେ ଚତୁର୍ଦ୍ଧାମୂର୍ତ୍ତି

0 60

ପୁରୀ : ରଥ ଉପରେ ସ୍ୱର୍ଣ୍ଣ ବେଶରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ମହାପ୍ରଭୁ । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରାଜରାଜେଶ୍ୱର ବେଶ ହୋଇଛନ୍ତି ମହାବାହୁ । ଏହି ବେଶ ଦର୍ଶନକୁ ଆଗ୍ରହରସହ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ । ଏହି ବେଶକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥାନ୍ତା । ହେଲେ କୋଭିଡ୍ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦାଣ୍ଡକୁ ଯାଇନାହାନ୍ତି ଶ୍ରୀଜୀଉ । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଘରେ ରହି ଏହି ଦୁର୍ଲଭ ବେଶକୁ ଦର୍ଶନ କରିଥାନ୍ତି । ସୁନାବେଶ ଆରମ୍ଭ ହେବା ପୂର୍ବରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁଙ୍କ ଦୁଇ ମହଣ ସୁନାଅଳଙ୍କାର ଗୋଟିଏ ପରେ ଗୋଟିଏ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଣାଯାଇଥିଲା ।

ନୀତିନିର୍ଘଣ୍ଟ ଅନୁଯାୟୀ ଆରମ୍ଭ ହୋଇଥିଲା ଏହିସବୁ କାର୍ଯ୍ୟ । ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୂଜ, କିରିଟି,ଘାଗଡା ମାଳି, କଦମ୍ବ ମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା । ସେହିପରି ଦେବୀ ସୁଭଦ୍ରା କିରିଟି, ଓଡ଼ିଆଣୀ, କାନ, ତଗଡ଼ି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୂଜ, କିରିଟି ଆଦି ସ୍ୱର୍ଣ୍ଣ ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ ପରିଧାନ କରି ରଥ ଉପରେ ବଡତଡ଼ାଉ ବେଶରେ ଦର୍ଶନ ଦେଇଛନ୍ତି । ପ୍ରାୟ ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାତି ୧୧ଟାରେ ବେଶଓଲାଗି ହେବ ବୋଲି ଜଣାପଡ଼ିଛି । ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ଆଜି ସକାଳ ୬ରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଥିଲା । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ରୁ ୧୦.୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା ।

ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧.୩୦ରେ ବେଶଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ନୀତି ହୋଇଥିଲା । ସୁନାବେଶ ପରେ ରାତି ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନ ଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ସୁନାବେଶ ପରେ ଆଜି ହେବ ଅଧରପଣା ନୀତି । ରଥ ଉପରେ ବନ୍ଦାପନା ପରେ ତିନି ରଥରେ ଅଧରପଣା ନୀତି କରାଯିବ ।

ବର୍ଷକୁ ୬ଥର ସୁନାବେଶ ହୁଅନ୍ତି ମହାବାହୁ :

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନେ ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି । କୋଭିଡ-କଟକଣା ପାଇଁ ସାଧାରଣ ଭକ୍ତଙ୍କୁ ପୁରୀ ମନା ହୋଇଥିବାରୁ କୋଟି କୋଟି ଭକ୍ତ ଟିଭି ମାଧ୍ୟମରେ ସୁନାବେଶ ଦେଖୁଛନ୍ତି । ଜୀଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପରମ୍ପରା ରହିଛି । ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କୁ ରଥ ଉପରେ ସୁନାବେଶ କରାଯାଇଥାଏ । ଏତଦ୍ ବ୍ୟତୀତ ଶ୍ରୀଜୀଉମାନଙ୍କୁ ମନ୍ଦିର ଭିତରେ ୫ଥର ସୁନାବେଶ କରାଯାଇଥାଏ । ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ । ସୁନାବେଶକୁ “ବଡ଼ତଡ଼ାଉ’ ବେଶ ମଧ୍ୟ କହିଥାନ୍ତି । ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜୀଉମାନଙ୍କୁ ସୁନାବେଶ କରାଯାଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ସୁନାବେଶ ହୋଇଥାଏ ।

ଏହିଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ । ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜୀଉମାନଙ୍କୁ ସୁନାରେ ବେଶ କରାଯାଇଥିଲା । ପାଳିଆ ପୁଷ୍ପାଳକ ଦଇତା ଖୁଣ୍ଟିଆ ତଳୁଚ୍ଛ ସେବାୟତମାନେ ସୁନାବେଶ କରିଥାନ୍ତି । ରତ୍ନ ଭଣ୍ଡାର ଘର ଭିତରୁ ପାଳିଆ ମେକାପ ଖୁଣ୍ଟିଆ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ସୁନାବେଶ ସାମଗ୍ରୀ ଆସିଥାଏ । ଶେଷରେ ମନ୍ଦିର ସେବାୟତମାନଙ୍କ ଦ୍ୱାରା ରଥ ଉପରକୁ ବେଶ ନିଆଯାଇଥାଏ ।

Leave A Reply

Your email address will not be published.