୨୬ରୁ ଖୋଲିବ ହଷ୍ଟେଲ: ଗାଇଡ୍ଲାଇନ୍ ଜାରି

67

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସ୍କୁଲ ପରେ ଖୋଲିବ ହଷ୍ଟେଲ । ଆସନ୍ତା ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟତଃ ଗଣଶିକ୍ଷା, ଏସ୍ସି/ଏସ୍ଟି ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ସେହିପରି ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି ।

ଏଥିଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସ୍ଓପି ଜାରି କରିଛି । ଅନ୍ଲାଇନ୍ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । କଟକଣା ଆଉ ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିବ । ସାମାଜିକ ଦୂରତା ରଖି କ୍ଲାସ୍ ରେ ୨୦ରୁ ୨୫ ପିଲା ବସିବେ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍ କରାଯିବ । ଏପରିକି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ । ତା’ସହିତ ସ୍କୁଲରେ ଆଇସୋଲେସନ୍ ରୁମ୍ ବି ରହିବ । ତେବେ ହଷ୍ଟେଲ୍ ଖୋଲିବ ନାହିଁ । ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ । ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲକୁ ଯାଇ ନିୟମିତ ତଦାରଖ କରିବେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସେପଟେ ଦ୍ଵନ୍ଦରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୟୁଜି-ପିଜି ଲାଗି କେବେଠୁ କ୍ଲାସ୍ ହେବ, ତାହା ସରକାର ସ୍ପଷ୍ଟ କରିନଥିବାରୁ ତାକୁ ନେଇ କଳ୍ପନାଜଳ୍ପନା ବଢ଼ିଛି । ତେବେ କ୍ଲାସ୍ ଆରମ୍ଭ ପରିବର୍ତ୍ତେ ଫାଇନାଲ୍ ସେମିଷ୍ଟର ପରୀକ୍ଷା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ଜଣାପଡିଛି । ପରୀକ୍ଷା ପରେ ଅକ୍ଟୋବରରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରାଯିବା ସମ୍ଭାବନା ରହିଛି । ତେବେ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନହେବ ସେଥିପ୍ରତି ବିଭାଗ ଦୃଷ୍ଟି ଦେଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Comments are closed.