ରାଜ୍ୟରେ ନିଅଣ୍ଟିଆ ବର୍ଷା : ଆପାତକାଳୀନ ପ୍ଲାନ୍ ପ୍ରସ୍ତୁତ କଲା ଓୟୁଏଟି

64

ଭୁବନେଶ୍ୱର : ରାଜ୍ୟରେ ନିଆଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ କ’ଣ କରାଯିବ ଚାଷର ସୁରକ୍ଷା ପାଇଁ ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକ୍ ରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ଯ୍ୟ ନିର୍ଭର କରିଥାଏ । ଏହା ଜୁନ୍ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିଥାଏ । ଏଥର ଜୁନ୍ ୧ରେ କେରଳ ଓ ଜୁନ୍ ୧୦ରେ ଓଡ଼ିଶା ପ୍ରଶେ କରିଛି ମୌସୁମୀ । ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି । କେତେବେଳେ ବର୍ଷା ହେଉଛି, ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି ।ଯାହା ଫଳରେ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି।

ରାଜ୍ୟରେ ମୌସୁମୀ ସମୟ ୪୦ଦିନ ଅତିବାହିତ କରିସାରିଛି । ମୌସୁମୀ ଆଗୁଆ ମରୁଡ଼ି ହେଲେ କମ୍ ଧାନ ହେବ । କାରଣ ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି । ଚଳିତ ବର୍ଷ ୪୦ ଦିନ ବିତିଗଲାଣି, ତେଣୁ କମ୍ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇଯାଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଶେଷ ପର୍ଯ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ।

ଗଞ୍ଜାମରେ ଗଜା ମରୁଡ଼ି ଆଶଙ୍କା :

ଜୁନ୍ ସରି ଜୁଲାଇ ଅଧା ହେଲାଣି । ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇପାରିନି । ଚଳିତ ମାସରେ ସାଧାରଣତଃ ୨୨୦.୮ ମିମି ବର୍ଷା ହେବା କଥା । କିନ୍ତୁ ଆଜି ସୁଦ୍ଧା ମାତ୍ର ୧୫୩.୪୬ ମିମି ବର୍ଷା ହୋଇଛି । ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ଏଡ଼ାଇ ଦେଇ ହେବନି ବୋଲି ମତପ୍ରକାଶ ପାଇଛି । ଗୋଟିଏ ପଟେ କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ଅନ୍ୟପଟେ ଖରିଫ୍ ଆରମ୍ଭରୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଫଳରେ ଚାଷୀକୂଳ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ ଗତମାସରେ ଜିଲ୍ଲାରେ ୧୬୮.୩ ମିମି ବର୍ଷା ହେବା କଥା । କିନ୍ତୁ ମାତ୍ର ୧୦୨.୧୮ ମିମି ବର୍ଷା ହୋଇଥିଲା ।

ସେହିପରି ଚଳିତମାସ ଆଜି ସୁଦ୍ଧା ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନାହିଁ । ଫଳରେ ଚାଷଜମିରେ ବୁଣା ଧାନ ମଧ୍ୟ ଉଠୁ ନଥିବା ଦେଖାଦେଇଛି । ବର୍ଷା ଅଭାବରୁ ତଳି ପୋଡ଼ି ଯାଉଥିବା ବିଭିନ୍ନ ବ୍ଲକର ଚାଷୀ ଏବଂ ଚାଷୀନେତାମାନେ କହିଛନ୍ତି । ଧାନତଳି ପକାଇବାର ପ୍ରାୟ ଦେଢ଼ ମାସ ବିତିଗଲାଣି । ତଳିରୁଆ ହେବା ପାଇଁ ପ୍ରସ୍ତୁତି ହେବା କଥା । ମାତ୍ର ବର୍ଷା ଅଭାବରୁ ତାହା ପୋଡ଼ିଗଲାଣି ।କେତେକ ସ୍ଥାନରେ ରୋଗ ପୋକ ବି ଲାଗିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଭାଗର ପରିଚାଳନା ଦାୟିତ୍ୱ ନେଇଥିବା ଟାଟା କମ୍ପାନୀ କିଛି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଇଥିବାରୁ ସେମାନେ ଆସି ବକେୟା ଅଳ୍ପ ବିଲ୍ ଥିଲେ ସୁଦ୍ଧା ଏଲ୍ଆଇ ପଏଣ୍ଟରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଉଛନ୍ତି । ଫଳରେ ପମ୍ପ୍ ବି ଅଚଳ ହୋଇ ପଡ଼ିଛି । ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ବି ସେ ଶୁଣୁନାହାନ୍ତି ।

Comments are closed.