ସରିଲା ଅଧରପଣା ନୀତି : ଆଜି ନୀଳାଦ୍ରି ବିଜେ

65

ପୁରୀ : ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥରେ ଥିବା ପାଶ୍ୱର୍ ଦେବଦେବୀ ଓ ଚଣ୍ଡିଚାମଣ୍ଡାଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଅଧରପଣା ନୀତି କରିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ଏହି ଅଧର ପଣା ନୀତି । ଶ୍ରୀଜୀଉମାନଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚ ମାଟିହାଣ୍ଡିର ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ଡ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି । ପୂଜାପଣ୍ଡାମାନେ ଏହି ପଣାକୁ ଶ୍ରୀଜୀଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ଡିଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯାଇଥାଏ ।

ଆଜି ନୀଳାଦ୍ରି ବିଜେ । ବଡ଼ଦାଣ୍ଡରୁ ଲୀଳାଖେଳା ସାରି ଭାଇଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ତେବେ ଅଧରପଣା ନୀତି ଶୃଙ୍ଖଳିତ ଭାବେ ଗୁରୁବାର ଶେଷ ହୋଇଥିବା ବେଳେ ଆଜି ନୀଳାଦ୍ରୀ ବିଜେ ନୀତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

Comments are closed.