ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : କଡା ସୁରକ୍ଷା ବଳୟରେ ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସର ଜେରା

63

ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କଡା ସୁରକ୍ଷା ବଳୟ ମଧ୍ୟରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୋଲିସ ଓ କ୍ରାଇମବ୍ରାଞ୍ଚ ଆଜି ଜେରା କରିଛନ୍ତି । ଏସିଏଫ୍ ସୌମ୍ୟରଞ୍ଜନଙ୍କ ଡେଥ୍ ମିଷ୍ଟ୍ରି ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ପତ୍ନୀ ବିଦ୍ୟାଭାରତୀଙ୍କ ଚିଠି ପରେ ଏବେ ହାତରେ ଲାଗିଲା ସୌମ୍ୟରଞ୍ଜନଙ୍କ ହାତ ଲେଖା ଚିଠି । ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆଜି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ଙ୍କ ସହ ପାରଳା ପୋଲିସ ଟିମ୍ ପହଞ୍ଚି ପୃଥକ ପୃଥକ ଭାବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛନ୍ତି । ପ୍ରଥମେ ପୋଲିସ ତରଫରୁ ଏସଡିପିଓ ରାମକୃଷ୍ଣ ପତି ଓ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜେରା କରିଥିଲେ । ଏହାର ପ୍ରାୟ ୩୦ମିନିଟ ପରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ପୁଣି ଡିଏଫ୍‌ଓଙ୍କୁ ଜେରା କରିଥିଲେ ।

ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ପର ଠାରୁ ତାଙ୍କ ପରିବାର ଲୋକେ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ସେମାନଙ୍କ ନାମରେ ପାରଳା ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଡିଏଫ୍‌ଓଙ୍କୁ ଜେରା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ପୋଲିସ ଟିମ୍‌ରେ ଏସ୍‌ଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ କ୍ରାଇମ ବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ କ୍ରାଇମ ବ୍ରାଞ୍ଚର ୪ଜଣିଆ ଟିମ୍ ଏହି ଜେରା କରିଛନ୍ତି । ଆଜିର ଏହି ଜେରା ନେଇ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି, ଡିଏଫ୍‌ଓଙ୍କୁ ଜେରା କରାଯାଇ ତଥ୍ୟ ସଂଗ୍ରହ କରାଯାଇଛି । ଆହୁରି ଆବଶ୍ୟକୀୟ ପଡିଲେ ଦ୍ୱିତୀୟ ଥର ମଧ୍ୟ ଜେରା କରାଯାଇପାରେ ।

ଗୁରାଣ୍ଡି ଥାନା ଅଧିକାରୀ ଆମ୍ବୁଲାନ୍ସ ଅଟକାଇବା ନେଇ, ଆମ୍ବୁଲାନ୍ସ ଡ୍ରାଇଭର ଏବଂ ହେଲପରଙ୍କୁ ପୋଲିସର ଜେରା :

ଗୁରାଣ୍ଡି ଥାନା ଅଧିକାରୀ ଆମ୍ବୁଲାନ୍ସ ଅଟକାଇବା ଘଟଣା ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କୁ ପାରଳାଖେମୁଣ୍ଡି ପୋଲିସ ଜେରାକରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୨ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ୮୦ରୁ ଉର୍ଦ୍ଧ ଭାଗ ପୋଡି ହୋଇ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ଏଠାରୁ ସ୍ଥାନାନ୍ତରିତ କରାଗଲା । ହେଲେ ସୌମ୍ୟଙ୍କୁ ରାତିରେ ବ୍ରହ୍ମପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଦ୍ୱାରା ନିଆଯାଉଥିବା ବେଳେ ଡିଏଫଓ ଅଫିସ ନିକଟରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଆମ୍ବୁଲାନ୍ସକୁ ଅଟକାଇଥିଲେ ।

ଏନେଇ ଅଭିଯୋଗ ହେବା ସହ ମମତା ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ହୋଇଥିଲା । ତେଣୁ ଗତକାଲି ରାତିରେ ଏହି ଘଟଣା ନେଇ ଆମ୍ବଲାଲନ୍ସ ଡ୍ରାଇଭର ଦୟାନିଧି ଶବର ଏବଂ ହେଲପରଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜେରା କରିଛନ୍ତି । ଡ୍ରାଇଭର ଓ ହେଲପର ପୋଲିସର ଏହି ଜେରା ବେଳେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ସେ ଦିନ ରାତିରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ପୋଲିସ ପୋଷାକ ପିନ୍ଧି ଆମ୍ବୁଲାନ୍ସକୁ ଅଟକାଇଥିଲେ ବୋଲି ଏହି ଦୁଇ ଜଣ ପ୍ରକାଶ କରିବା ସହ ଆମ୍ବୁଲାନ୍ସ ପଛରେ ଏକ ଚାରିଚକିଆ ଯାନ ଆସୁଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Comments are closed.