ଫୋକସ୍ ରେ ତୃତୀୟ ଲହର ମୁକାବିଲା : ବିପଦ ଟଳିନି, ଅଧିକ ସତର୍କତା ଲୋଡା

67

ଭୁବନେଶ୍ୱର : କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ ତାକୁ ଦୃଷ୍ଟିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ ।

ବିଶେଷଜ୍ଞମାନଙ୍କ ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରିବେ ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁଦାୟିତ୍ୱ ରହିଛି । ପ୍ରତି ଜୀବନ ମୂଲ୍ୟବାନ । ଏହା ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଜିଲ୍ଲା ହସ୍ପିଟାଲଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯେଭଳି ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ଥାନା ଇନ୍ସପେକ୍ଟରଙ୍କଠାରୁ ଆରମ୍ଭକରି ବିଡିଓ, ଏସ୍ଡିପିଓ, ସବ୍ କଲେକ୍ଟର, ଏସ୍ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ୱର ଅଂଶଭାବରେ ଜ୍ଞାନ କରି ଯତ୍ନବାନ୍ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ଏମ୍ଜି ନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା’ମାନଙ୍କଠାରୁ ଆରମ୍ଭକରି ଷ୍ଟ୍ରିଟ୍ଭେଣ୍ଡର, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପି.କେ.ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରିତା ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ । ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ ।

ମାନୁଫ୍ୟାକ୍ଚରିଂ ହବ୍ ହେବ ଓଡ଼ିଶା :

ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ୧୪ଟି ଶିଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍ଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୩ହଜାର ୭୭୩ ନିଯୁକ୍ତି ସୃଷ୍ଟି ହେବ ।

୧୭ ସାମ୍ବାଦିକଙ୍କ ପାଇଁ ୨.୫୫ କୋଟି :

କୋଭିଡରେ ମୃତ ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି । ଭୁବନେଶ୍ୱରର ୪ଜଣ, ବଲାଙ୍ଗୀରର ୩ ଜଣ, ଗଞ୍ଜାମର ୭ ଜଣ, ଯାଜପୁରର ୨ ଜଣ ଏବଂ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାକୁ ସହାୟତା ରାଶି ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ । ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର । କୋଭିଡରେ ଯଦି କୌଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନେକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଆଜି ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । “ଜି-ଓଡ଼ିଶାର ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, “ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, “ଟାଇମସ୍ ଅଫ୍ ଇଣ୍ଡିଆ’ର ସ୍ୱର୍ଗତ ପ୍ରୀତିମାନ୍ ମହାପାତ୍ରଙ୍କ ପରିବାରବର୍ଗ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ ।

ସେହିପରି ଗଞ୍ଜାମ ଜିଲ୍ଲାର “ଟିଭି ନ୍ୟୁଜ୍ ୬(ୱେବ୍)’ର ସାମ୍ବାଦିକ ଗୋବିନ୍ଦ ବେହେରା, ‘ସମ୍ବାଦ’ର ପ୍ରଦୀପ କିଶୋର ସାହୁ, “ସମାଜ’ର କିଶୋର ଚନ୍ଦ୍ର ଦାଶ, “ଓଡ଼ିଶା ଫାଇଲସ୍’ର ନରେଶ କୁମାର ବେହେରା, “କଳିଙ୍ଗ ଜ୍ୟୋତି, ନନ୍ଦିନୀ’ର ସାମ୍ବାଦିକ ରନିକର ମହାରଣା, ବ୍ଲକ୍ କରେସ୍ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, “ଅନୁପମ ଭାରତ’ର କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲା “ସମ୍ବାଦ’ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ , “ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, “ନକ୍ଷତ୍ର ଟିଭି’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାନୁ ପ୍ରକାଶ ରଥ, ଯାଜପୁର ଜିଲ୍ଲା “ମନ୍ଥନ’ର ସାମ୍ବାଦିକ ଅଶୋକ କୁମାର ସାହୁ, “ଲୋକସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ ।

Comments are closed.