ଆରମ୍ଭ ହେଲା କ୍ରୀଡ଼ା ମହାକୁମ୍ଭ : ଧ୍ୱଜାବାହକ ହେଲେ ମେରି କମ୍ ଓ ମନ୍ ପ୍ରୀତ

60

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଖେଳର ମହାକୁମ୍ଭ ଅଲିମ୍ପିକ୍ସ୍ ମହାସମର । ଦୀର୍ଘ ଏକ ବର୍ଷର ଅପେକ୍ଷା ପରେ ଜାପାନର ଟୋକିଓରେ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ଆଥଲେଟ୍ମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦ୍ଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ୱର ଅନ୍ୟତମ କ୍ରୀଡା ସମାରୋହ । ଜାପାନର ସମ୍ରାଟ ନାରୁହିଟୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ୍ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ୍ ଉଦ୍ଘାଟନ କରିଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ସର୍ବପ୍ରଥମେ ଗ୍ରୀକ୍ ଅଲିମ୍ପିକ୍ ଦଳ ଷ୍ଟାଡିୟମ୍ରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲିମ୍ପିକ ଉଦ୍ଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣରୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ୍ ଅଧିନାୟକ ମନ୍ପ୍ରୀତ ସିଂ ଏବଂ ବକ୍ସିଂ ଲିଜେଣ୍ଡ ଏମ୍ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ୱାଡ୍ଙ୍କୁ ଆଗକୁ ନେଇଥିଲେ । ଉଦ୍ଘାଟନୀ ଉତ୍ସବରେ ଭାରତ ସମେତ ଆୟରଲାଣ୍ଡ ଦଳ, ଆଫଗାନିସ୍ତାନ, ଗ୍ରୀକ୍, ଆଇସିଲାଣ୍ଡ, ଇଜିପ୍ଟ୍ ଦଳର ଖେଳାଳିମାନେ ନିଜ ନିଜ ଦେଶର ଜାତୀୟ ପତାକା ସହିତ ମାର୍ଚ୍ଚ କରିଥିଲେ । ଜାପାନ ସମ୍ରାଟ ନାରୁହିଟୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅଲିମ୍ପିକ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Comments are closed.