ବିଜୁଙ୍କ ଡାକୋଟା ପାଇଁ ଅଢେଇ ଏକର ଜାଗା ଚିହ୍ନଟ

71

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଢେଇ ଏକର ଜାଗା ଚିହ୍ନଟ କରାଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଏହି ଜାଗା ରହିଛି । ଏହି ଜମିକୁ ବ୍ୟବହାର କରିବା ପାଇଁ ଏୟାରପୋର୍ଟ ଅଥରଟି ଅଫ ଇଣ୍ଡିଆଙ୍କଠାରୁ ଏନ୍ଓସି ମଗାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପାଖକୁ ପତ୍ର ଲେଖି ଏୟାରପୋର୍ଟ ଅଥିରିଟି ଆବଶ୍ୟକୀୟ ଏନ୍ଓସି ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରର ପ୍ରବେଶ ମୁହଁରେ ଓ ଏୟାରଫିଲ୍ଡ଼ ଥାନା ପାଖରେ ଅଢେଇ ଏକର ଜମିରେ ଡାକୋଟକୁ ଥଇଥାନ କରାଯିବ । ବିଜୁ ବାବୁଙ୍କ ଏହି ଡାକୋଟା ଡିସି-୩ ବିମାନଟି (ରେଜିଷ୍ଟ୍ରେସନ୍ ନମ୍ବର ଡବ୍ଲୁ-ଏୟୁଆଇ) କଳିଙ୍ଗ ଏୟାରଲାଇନ୍ସର ମାଲିକାନାରେ ଥିଲା ଓ ବିଜୁ ପଟ୍ଟନାୟକ ଏହାକୁ ବିଭିନ୍ନ ସମୟରେ କାମରେ ଲଗାଇଥିଲେ । କୋଲକାତାର ନେତାଜୀ ସୁଭାଷ ବିମାନ ବନ୍ଦର ନିକଟରେ ଏକ କଣରେ ଏହି ପୁରୁଣା ବିମାନଟି ପଡ଼ି ରହିଛି ।

ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଓ ପ୍ରଧାନମନ୍ତ୍ରୀ ସୁତନ ଝରିରଙ୍କୁ ବିଜୁ ଏହି ଡାକୋଟାରେ ଉଦ୍ଧାର କରିଥିଲେ । ଯେଉଁଥିପାଇଁ ବିଜୁଙ୍କୁ ଇଣ୍ଡୋନେସିଆ ସରକାର ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିଥିଲେ । ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ, ବିଜୁଙ୍କ ସେହି ଡାକୋଟା ବିମାନକୁ ଆଣି ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହ ଜନସାଧାରଣଙ୍କ ଦେଖିବା ପାଇଁ ଉପଯୁକ୍ତ ସ୍ଥାନରେ ରଖିବା ସକାଶେ ନିଷ୍ପତ୍ତି କରାଯାଥିଲା । ଫେବୃଆରୀ ମାସରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ବିମାନ ବନ୍ଦର ପ୍ରାଧିକରଣ ଅଧିକାରୀ ମିଳିତ ଭାବେ ଏହି ଜାଗାକୁ ଚିହ୍ନଟ କରିଥିଲେ । ଶ୍ରୀ ପାଢ଼ୀ ଜୁଲାଇ ୮ ତାରିଖରେ କେନ୍ଦ୍ର ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହଙ୍କୁ ପତ୍ର ଲେଖି ଏୟାରପୋର୍ଟ ଅଥରିଟି ଏଥିପାଇଁ ନୋ ଅବଜେକ୍ସନ୍ ସାର୍ଟିଫିକେଟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।

Comments are closed.