ଅଗଷ୍ଟରୁ ପିଲାଙ୍କୁ ଟିକା !

60

ନୂଆଦିଲ୍ଲୀ : ମହମାରୀ କରୋନା ସଂକ୍ରମଣ ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଆସନ୍ତା ମାସରୁ ଦେଶରେ ୧୮ରୁ କମ୍ ବୟସ୍କ ପିଲାମାନଙ୍କୁ କରୋନାର ସୁରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇପାରେ । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ଆଜି ବିଜେପିର ସଂସଦୀୟ ଦଳର ବୈଠକରେ ଶ୍ରୀ ମାଣ୍ଡଭିୟ କହିଛନ୍ତି, ସରକାର ଆସନ୍ତା ମାସରୁ ଛୋଟ ପିଲାମାନଙ୍କର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି । ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ ।

ସେହିପରି ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ରରେ ଖୁବ୍ଶୀଘ୍ର ପରିଣତ ହେବାକୁ ଯାଉଛି । କାରଣ ଦେଶରେ ଟିକା ଉତ୍ପାଦନ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯିବ । ଲାଇସେନ୍ସ ପାଇବା ପରେ ସେମାନେ ଦେଶରେ ଉତ୍ପାଦନ ଆରମ୍ଭ କରିବେ ବୋଲି ମଧ୍ୟ ସେ କହିଛନ୍ତି । ଯଦି ଏପରି ହେବ ତା’ହେଲେ କରୋନାର ସଂକ୍ରମଣ ଚେନ୍କୁ ଭାଙ୍ଗିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅନ୍ୟପକ୍ଷରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଅନୁଷ୍ଠିତ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଦେଶର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି ।

Comments are closed.