ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଂଚି ସାହୁ ଗିରଫ

60

ଭୁବନେଶ୍ୱର : ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍) ବିରଂଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ଠାରୁ ଏ ପର୍ଯ୍ୟନ୍ତ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ବିରଂଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି ସମୟରେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା । ସେହିଭଳି ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ ଆବେଦନ ପତ୍ର ଓ ଆଡ୍ମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା । ତା’ ସହିତ ୧୪ଟି ପ୍ଲଟ୍ ଓ ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘର ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ ।

ଗତକାଲି ବିରଂଚି ରହୁଥିବା ନୀଳାଦ୍ରିବିହାରସ୍ଥିତ ଦୁଇ ମହଲା କୋଠାରେ ଖାନତଲାସି ବେଳେ ଆଲମିରାରୁ ନଗଦ ୧୨ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରେ ୧୪ଟି ପ୍ଲଟର କାଗଜପତ୍ର ଏବଂ ୫୬ ଲକ୍ଷ ଟଙ୍କାର ଜୀବନ ବୀମାର କାଗଜପତ୍ର ମିଳିଥିଲା । ସେହିପରି ପିଏଫ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ବିରଂଚିଙ୍କ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ବିରଂଚିଙ୍କ ଆଲମିରାରୁ ମିଳିଥିବା ଟଙ୍କା ଭର୍ତି ଖାମ୍ ନିକଟରୁ ଓଏସ୍ଏସସି ପରୀକ୍ଷା ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା । ସେହିପରି ଅନ୍ୟ ଏକ ଟିମ୍ ଓଏସ୍ଏସସି ଅଫିସରେ ଥିବା ବିରଂଚିଙ୍କ ଚାମ୍ବରରେ ଚଢ଼ଉ କରି ବହୁ କାଗଜପତ୍ର, ଫାଇଲ, କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି । ଏହି ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ତିନିଟି ଦଳ ସାମିଲ୍ ହୋଇଥିଲେ ।

Comments are closed.