ସାର ସଂକଟ : ନବୀନଙ୍କ ଉଦବେଗ

56

ଭୁବନେଶ୍ୱର : ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନଠାରୁ ଚଳିତ ଖରଫ୍ ଋତୁରେ ନିଅଣ୍ଟିଆ ସାର ଯୋଗାଣ ହେବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନ୍ସୁଖ ମଣ୍ଡାଭିୟଙ୍କୁ ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମାସିକ ଯୋଗାଣ ଯୋଜନା ଅନୁସାରେ ଏପ୍ରିଲ୍ ମାସରେ ଆପଣଙ୍କ ବିଭାଗ ରାଜ୍ୟର ଚାହିଦା ମୁତାବକ ସାର ଯୋଗାଇ ଦେଇଥିବାରୁ ଧନ୍ୟବାଦ । କିନ୍ତୁ ମେ’, ଜୁନ୍ ଏବଂ ଜୁଲାଇ ମାସରେ ବିଭିନ୍ନ କିସମର ସାର ଯୋଗାଣରେ ନିଅଣ୍ଟ ଦେଖାଦେଇଛି । ଆବଣ୍ଟନ ଅନୁସାରେ ୨,୩୧,୫୩୦ ମେଟ୍ରିକ୍ ଟନ୍ ପାଇବାକୁ ଥିବାବେଳେ ଏଥର ଖରିଫ ଋତୁରେ ଏଯାବତ୍ ରାଜ୍ୟ ମାତ୍ର ୧,୪୫,୧୪୫ ମେଟ୍ରିକ୍ ଟନ୍ ୟୁରିଆ ପାଇଛି । ଏହା ବ୍ୟତିରେକ ୨,୧୦,୦୦୦ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା ।

ସେହିପରି ଆବଣ୍ଟନ ଅନୁସାରେ,୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ପାଇବାକୁ ଥିବାବେଳେ ଏଯାବତ୍ ରାଜ୍ୟ ମାତ୍ର ୯୭,୭୬୩ ମେଟ୍ରିକ୍ ଟନ୍ ଡିଏପି ପାଇଛି । ଏଥିରେ ମଧ୍ୟ ୧,୪୫,୦୦୦ ମେଟ୍ରିକ୍ ଟନ୍ ଡିଏପି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା । ଏହାଛଡ଼ା ୬୭,୨୦୦ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୬୮,୪୦୦ ଏନ୍ପିକେଏସ୍ ଆବଣ୍ଟନ ହୋଇଥିଲେ ସୁଦ୍ଧା ରାଜ୍ୟ ୪୨,୮୬୭ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୦୫,୭୯୮ମେଟ୍ରିକ୍ ଟନ୍ ଏନପିକେଏସ୍ ପାଇଛି । ଏଥିପାଇଁ ୬୦,୦୦୦ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୪୨,୦୦୦ମେଟ୍ରିକ୍ ଟନ୍ ଏନ୍ପିକେଏସ୍ ଯୋଗାଣ ପ୍ରସ୍ତାବରେ ବି ରାଜ୍ୟ ଏକମତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ସାମଗ୍ରିକ ଭାବେ ଆବଣ୍ଟନର ୬୨ପ୍ରତିଶତ ଏବଂ ସମ୍ମତ ହୋଇଥିବା ଯୋଗାଣଯୋଜନାର ୬୯ ପ୍ରତିଶତ ୟୁରିଆ ପାଇଛି । ଏହାଛଡ଼ା ରାଜ୍ୟ ଅନ୍ୟାନ୍ୟ ସାରରୁ ମଧ୍ୟ ୬୦% ରୁ ୭୪% ପାଇଛି । ନିକଟ ଅତୀତରେ ହୋଇଥିବା ବାତ୍ୟା ୟଶ୍ ଏବଂ ବିଗତ ବର୍ଷମାନଙ୍କରେ ଅନ୍ୟ କେତେକ ସାମୁଦ୍ରିକ ତୋଫାନ ଯୋଗୁଁ ରାଜ୍ୟର କୃଷକମାନେ ଭୀଷଣ ଫସଲହାନୀ ସହିଛନ୍ତି । ତେଣୁ ସେମାନଙ୍କର ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସାର ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ । ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୟୁରିଆ ବ୍ୟବହାର ଅଧିକ ହୋଇଥିବା ବେଳେ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଅନ୍ୟାନ୍ୟ ସାରଗୁଡ଼ିକର ଚାହିଦା ଥାଏ । ତେଣୁ କୃଷକମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଓଡ଼ିଶାକୁ ଆବଣ୍ଟନ ଏବଂ ପ୍ରଦତ୍ତ ସମ୍ମତି ଅନୁସାରେ ସାର ଯୋଗାଣ ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ :

ଓଡ଼ିଶାକୁ ଉପଯୁକ୍ତ ପରିମାଣର ସାର ଯୋଗାଇ ଦେବା ଦାବିରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ । ଏହା ସହିତ ରାଜ୍ୟର କୋଟା ଅନୁସାରେ ସାର ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦେଇଛନ୍ତି । ବିଜେଡି ସାଂସଦଙ୍କ ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ମେ, ଜୁନ ଓ ଜୁଲାଇ ମାସରେ ରାଜ୍ୟକୁ ଯେତେ ସାର ମିଳିବା କଥା, ସେତିକି ମିଳି ନାହିଁ । ଖରିଫ ଋତୁ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୩୧ ହଜାର ୫୩୦ ଟନ୍ ୟୁରିଆ ସାର ଆବଣ୍ଟିତ ହୋଇଛି । କିନ୍ତୁ ମିଳିଛି ମାତ୍ର ୧ ଲକ୍ଷ ୪୫ ହଜାର ୧୪୫ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧ ଲକ୍ଷ ୫୨ ହଜାର ଟନ୍ ଡିଏପି ସାର ଆବଣ୍ଟିତ ହୋଇଛି,କିନ୍ତୁ ମିଳିଛି ମାତ୍ର ୯୭ ହଜାର ୭୬୩ ଟନ୍ । ସେହିପରି ଏନପିକେଏସ୍ ଓ ଅନ୍ୟ ସାର ମଧ୍ୟ କମ୍ ମିଳିଛି । ଏହି କାରଣରୁ ·ଷବାସ ପ୍ରଭାବିତ ହେବାର ଆଶଙ୍କା ଅଛି । ତେଣୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଓଡ଼ିଶାକୁ ଉପଯୁକ୍ତ ପରିମାଣର ସାର ଯୋଗାଇ ଦେବାକୁ ସାଂସଦମାନେ ଦାବି କରିଛନ୍ତି । ତେବେ ଅଧିକାରୀଙ୍କ ସହିତ କଥାହୋଇ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

Comments are closed.