ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ସାକ୍ଷିଗୋପାଳ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ

65

ସାକ୍ଷିଗୋପାଳ : କୋଭିଡ଼୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜିଠୁ ଖୋଲିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳର ପ୍ରସିଦ୍ଧ ସାକ୍ଷିଗୋପାଳ ମନ୍ଦିର । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସହ ସାକ୍ଷି ଗୋପୀନାଥ ଓ ମା ରାଧା ରାଣୀଙ୍କ ଦର୍ଶନ କରୁଛନ୍ତି । ମନ୍ଦିର ମଧ୍ୟକୁ ଭୋଗ ସାମଗ୍ରୀ, ଧୂପ, ଫୁଲ ଆଦି ନେବାକୁ ବାରଣ କରାଯାଇଛି । ସେହିପରି ମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ଛୁଇଁ ପାରିବେ ନାହିଁ ଭକ୍ତ । ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାନୀୟ ଶ୍ରଦ୍ଧାଳୁ, ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ମାନେ ସାକ୍ଷିଗୋପାଳଙ୍କ ଦର୍ଶନ କରି ବେଶ୍ ଖୁସି ଜାହିର୍ କରିଛନ୍ତି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ପ୍ରତିଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ ।

ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ ଓ ବେଶ ପୂର୍ବାହ୍ନ ୯ଟା ସୁଦ୍ଧା ସମ୍ପନ୍ନ ହୋଇଛି । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଆଦି ନୀତି ସମ୍ପନ୍ନ ହୋଇଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ସେବାୟତ ମାନେ ସେବା ପୂଜା ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ଖୋଲିବା ପରେ ସେବାୟତ, ସ୍ଥାନୀୟ ବ୍ୟବସାୟୀ ଓ ମନ୍ଦିର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

Comments are closed.