ମହେନ୍ଦ୍ରଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ

73

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନସ୍ଥ ସାନତୁଣ୍ଡି ଗ୍ରାମର ଦଶମ ଶ୍ରେଣୀର ଛାତ୍ର ମହେନ୍ଦ୍ର ଶବର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଏକ ମାଛ ଫାର୍ମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ବେଳେ ମହେନ୍ଦ୍ରଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସୋମବାର ଦୁଇଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସାନତୁଣ୍ଡି ଆସି ମହେନ୍ଦ୍ରର ବାପାଙ୍କୁ ଚେକ୍ ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ, ରାୟଗଡ ଥାନା ଅଧିନ ସାନତୁଣ୍ଡି ଗ୍ରାମର ଜିତେନ୍ଦ୍ର ଶବରଙ୍କ ପୁଅ ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର (୧୫) । ଦୁଇବର୍ଷ ହେବ କୋରନା କଟକଣା ଯୋଗୁଁ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଅନଲାଇନ୍ କ୍ଲାସ ପାଇଁ ମୋବାଇଲ ନଥିବାରୁ ବାହାର ରାଜ୍ୟକୁ ଯାଇ କାମକରି ଟହ୍‌କା ଆମଇ ମୋବାଇଲ କିଣିବି ବୋଲି ଚଳିତ ଜୁଲାଇ ମାସ ୧୪ ତାରିଖରେ ସେହି ଗ୍ରାମର ନବୀନ ଭୂୟାଙ୍କ ପୁଅ ଅରୁଣ ଭୂୟାଁ (୧୫)ଙ୍କ ସହ ମିଶି କାମ କରିବା ପାଇଁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଯାଇଥିବା ବେଳେ ସେଠାରେ ଏକ ଘରୋଇ ମାଛ ଫାର୍ମରେ କାମ କରି ଆସୁଥିଲେ । ସେ ଗୁରୁବାର ସନ୍ଧ୍ୟା ୬ଘଣ୍ଟାରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଥିଲା । ହଠାତ ରାତ୍ରରେ ଶୋଇଥିବା ସମୟରେ କୌଣସି କାରଣ ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହେନ୍ଦ୍ରର ମୃତ୍ୟୁ ହୋଇଯାଇଥିବା ତାଙ୍କ ସାଥିରେ ଯାଇଥିବା ଅରୁଣ ଭୂୟାଁ ତାଙ୍କ ପରିବାର ଲୋକହ୍‌କୁ ଫୋନ ଯୋଗେ ଜଣାଇଥିଲେ । ମହେନ୍ଦ୍ର ରାୟଗଡ ଏସ୍‌ଏସ୍‌ଡି ହାଇସ୍କୁଲର ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ସ୍କୁଲ ଖୋଲିବା ଖବର ପାଇ ଅଗଷ୍ଠ ୧ ତାରିଖରେ ମହେନ୍ଦ୍ର ଘରକୁ ଆସିବାକୁ କହିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ମାଆ ସୌଭାଗିନୀ ଶବର ପ୍ରକାଶ କରିଛନ୍ତି ।

ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ରାଜ୍ୟସରକାର ମହେନ୍ଦ୍ରଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମହେନ୍ଦ୍ରଙ୍କ ବାପା ଜିତେନ୍ଦ୍ର ଶବରଙ୍କୁ ସୋମବାର ଦୁଇଲକ୍ଷ ଟଙ୍କା ଅନୁକମାମୂଳକ ସହାୟତା ପ୍ରଦାନ କରିବା ସହ ରେଡ୍ କ୍ରସ୍ ପାଣ୍ଠିରୁ କୋଡିଏ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହା ସହ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ରେଡ୍‌କ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ଏବଂ ଆନ୍ଧ୍ର ସରକାର ପକ୍ଷରୁ ତିନି ଲକ୍ଷ, କମ୍ପାନୀ ପକ୍ଷରୁ ଦୁଇ ଲକ୍ଷ ସେଠାକାର ସ୍ଥାନୀୟ ସରପଞ୍ଚ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟରେ ଦଶ ଲକ୍ଷ ବତିଶି ହଜାର ଟଙ୍କା ପାଇଥିବା ପରିବାର ଲୋକେ କହିଛନ୍ତି । ଏଥିରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ସମେତ ଶ୍ରମ ଅଧିକାରୀ ସୁବାଷ ମଣ୍ଡଳ, ରାୟଗଡ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମହିଳା ସବାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବର୍ଷିଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ପିଇଓ ଲକ୍ଷ୍ମୀକାନ୍ତ ପାତ୍ର, ସରପଞ୍ଚ ସୁବାଷ ଶବର, ସଂଘମିତ୍ରା ଶବର, ବ୍ଲକ ସଭାପତି ସୀମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.