ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

0 46

-ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପହଂଚିଲା ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍

ବାରିପଦା : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପହଂଚିଛି ପୋଲିସ ଟିମ୍ । ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ ପ୍ରଥମେ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନାରେ ପହଂଚି ଥିଲା । ଏହାପରେ ପୋଲିସ ଟିମ୍ ବିଦ୍ୟାଭାରତୀଙ୍କ ଘରେ ପହଂଚି ତାଙ୍କୁ ପଚରା ଉଚରା କରିଛି । ଘଟଣା ସମ୍ପର୍କରେ ଆଜି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରିପାରେ ପୋଲିସ । ଏହା ବ୍ୟତୀତ ସୌମ୍ୟଙ୍କ ମୃତ୍ୟୁ ଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଉଦଳାରୁ ଯାଇଥିବା ଗାଡ଼ିର ଡ଼୍ରାଇଭରଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରିବ ବୋଲି ଜଣାପଡିଛି । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କାହାରିକୁ ଗିରଫ କରିନାହିଁ କିମ୍ବା ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ମାମଲାରେ ଏଯାବତ୍ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବି କରି ପୂର୍ବରୁ ସୌମ୍ୟଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏନେଇ ଏକ ଆବେଦନ ମଧ୍ୟ ଦାୟର୍ ହୋଇଛି ।

ପ୍ରକାଶ ଥାଉ କି, ଏହା ପୂର୍ବରୁ ମଧ୍ୟ ପାରଳାଖେମୁଣ୍ଡି ପୋଲିସ ଟିମ୍ ବିଦ୍ୟାଭାରତୀଙ୍କ ଘରେ ପହଂଚି ବିଦ୍ୟାଭାରତୀ, ତାଙ୍କ ବାପା ଓ ପରିବାରର ଅନ୍ୟମାନଙ୍କ ବୟାନ ସଂଗ୍ରହ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡିଥିବା ଏସିଏଫ ସୌମ୍ୟରଞ୍ଜନଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତ ୧୩ ତାରିଖରେ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଥିଲା ।

Leave A Reply

Your email address will not be published.