୧୬ରୁ ଜଗାଦର୍ଶନ

64

ପୁରୀ : ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିରୟ ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । କୋଭିଡ୍ ଗାଇଡ୍ଲାଇନ୍ ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ମହାମାରୀ କରୋନା ପାଇଁ ଦର୍ଶନ ବନ୍ଦ ରହିଥିଲା ଶ୍ରୀମନ୍ଦିର । ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ଘୋଷ ଯାତ୍ରା । ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିଲା ଛତିଶାନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ବିଶାଲ ସିଂ, ସିଡିଏମ୍ଓ ସୂଜାତା ମିଶ୍ର, ଛତିଶଟି ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ମୁଖ୍ୟ ପ୍ରଶାସକ ଘୋଷଣା କରିଛନ୍ତି ।

ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧ ଓ ୨୨ ତାରିଖ ସଟ୍ଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ସେହି ଦୁଇଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଡବଲ ଡୋଜ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ଜରୁରି । ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରି । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ସଟ୍ଡାଉନ୍, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଛନ୍ତି ।

Comments are closed.