ଗୋଲଡେନ୍ ବୟଙ୍କ ଓଡ଼ିଶା ଲିଙ୍କ୍

71

-କଳିଙ୍ଗ ଷ୍ଟାଡିୟମ୍ ରେ ଅଭ୍ୟାସ୍ : ଟୋକିଓରେ ଜଲ୍ୱା

ଭୁବନେଶ୍ୱର : ଅଲିମ୍ପିକ୍ସରେ ଆଜି ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗର୍ବ ଆଣିଛନ୍ତି ନୀରଜ ଚୋପ୍ରା । ଖାଲି ଗର୍ବ ନୁହେଁ ବରଂ ଭାରତର ୧୨୫ ବର୍ଷର ସ୍ୱପ୍ନକୁ ପୂରଣ କରିଛନ୍ତି ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା । ତେବେ ନୀରଜଙ୍କ ସ୍ୱର୍ଣ୍ଣ ବିଜୟ ପଛରେ ଓଡ଼ିଶାର ବି କିଛି ମାତ୍ରାରେ ସମ୍ପର୍କ ରହିଛି । ଅନେକଙ୍କ ପାଇଁ ଏହି କଥାଟି ଅଜଣା ହୋଇଥାଇପାରେ । କିନ୍ତୁ ନୀରଜଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । କଳିଙ୍ଗ ଷ୍ଟାଡିୟମର ବକ୍ଷରେ ନୀରଜ ଅଭ୍ୟାସ କରିଛନ୍ତି, ଆଉ ଟୋକିଓରେ ଦେଖାଇଛନ୍ତି ନିଜର କୃତିତ୍ୱ । ଏହି କାହାଣୀ ୨୦୨୦ ମସିହାର । ୨୦୨୦ ମସିହା ଡିସେମ୍ବରରେ ନୀରଜ ଆସିଥିଲେ କଳିଙ୍ଗ ଷ୍ଟାଡିୟମ । ପଞ୍ଜାବର ପଟିଆଲାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ସ୍ପୋର୍ଟ୍ସରେ ନୀରଜଙ୍କ ସହ ଅନ୍ୟ ଖେଳାଳି ଅଭ୍ୟାସ କରୁଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ଅଭ୍ୟାସରେ ବାଧା ଉପୁଜିଥିଲା । ଆଉ ଅପେକ୍ଷାକୃତ କମ ଥଣ୍ଡା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ପରିବର୍ତ୍ତନ ହୋଇଥିଲା ଟ୍ରେନିଂ କ୍ୟାମ୍ପ । ନୀରଜଙ୍କ ସହ ସେତେବେଳେ ଜାଭେଲିନ୍ ଫିଙ୍ଗାଳି ଶିବପାଲ ସିଂହ, ଅନୁ ରାଣୀ, ରୋହିତ ଯାଦବ ଓ ରାଜେନ୍ଦର ସିଂହ ଓଡିଶା ଆସିଥିଲେ ।

ଓଡ଼ିଶାରେ ରହିଥିଲେ ଆଉ ପ୍ରତିଦିନ କଳିଙ୍ଗ ଷ୍ଟାଡିୟମ୍ ଯାଇ ଟ୍ରେନିଂ ନେଇଥିଲେ । ସେତେବେଳେ ନୀରଜ କହିଥିଲେ ଯେ, “ଅଲିମ୍ପିକ୍ସ ପାଇଁ ଏଠାକୁ ଅଭ୍ୟାସ କରିବାକୁ ଆସିଛି । ୨୦୧୭ ଏସିଆନ ଚମ୍ପିୟାନସିପ୍ ରେ ମୁଁ ଏଠାରେ ସ୍ୱର୍ଣ୍ଣ ଜିତିଥିଲି । ଏହି ସହର ସହ ଅନେକ ସ୍ମୃତି ମୋର ଜଡିତ ହୋଇ ରହିଛି । ଅଲିମ୍ପିକ୍ସରେ ସଫଳ ହେବା ପାଇଁ ଯଥା ସାଧ୍ୟ ଚେଷ୍ଟା କରିବି’ । ସେଦିନ ଯାହା କହିଥିଲେ ଆଜି କାମରେ କରି ଦେଖାଇ ଦେଇଛନ୍ତି ନୀରଜ । ସେପଟେ ଓଡ଼ିଆ ଆଥଲେଟିକ୍‌ କୋଚ ସଞ୍ଜୟ ଗଡ଼ନାୟକ ନୀରଜଙ୍କୁ ପାଖାପାଖି ୧୦ ବର୍ଷ ଧରି ବିଭିନ୍ନ କ୍ୟାମ୍ପରେ କୋଚିଂ ଦେଇଛନ୍ତି । ଭାରତୀୟ ଜୁନିଅର ଆଥଲେଟିକ୍‌ ଟିମ୍‌ର ଚିଫ କୋଚ୍‌ ଥିଲେ ସଞ୍ଜୟ ଗଡ଼ନାୟକ । ପଞ୍ଜାବ, ହରିୟାଣାରେ ବିଭିନ୍ନ କ୍ୟାମ୍ପରେ ନୀରଜ ତାଙ୍କ ଅଧିନରେ କୋଚିଂ ନେବା ସହ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି କହିଛନ୍ତି ସଂଜୟ ଗଡ଼ନାୟକ ।

Comments are closed.