କ୍ରୀଡ଼ା ବିକାଶ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ : ରାଜ୍ୟରେ ହେବ ୮୯ ଇନ୍ଡୋର ଷ୍ଟାଡିୟମ୍

66

-୧୬ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର
-୧୪୮ କୋଟି ବ୍ୟୟରେ ହେବ ଅପର ଇନ୍ଦ୍ରାବତୀ କେନାଲ ପୁନରୁଦ୍ଧାର
-କଳାହାଣ୍ଡି ଜିଲ୍ଲାର ୪୨,୪୫୫ ହେକ୍ଟର ଚାଷଜମି ଜଳସେଚିତ ହେବ
-୧୮.୨୩ ଏକର ଜମି ଆଇଆଇଏମ୍କୁ ଶସ୍ତାରେ ଯୋଗାଇ ଦିଆଯିବ
-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ଓ ବାଗ୍ଚୀ କରୁଣାଶ୍ରୟକୁ ୪୦ ଏକର ଜମି
-ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପକୁ ଅନୁମୋଦନ
-ଓଡ଼ିଶା ଫାୟାର ସର୍ଭିସ୍ ରୁଲ୍ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ଭୁବନେଶ୍ୱର : କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୮୯ ଗୋଟି ବହୁମୁଖୀ କ୍ରୀଡ଼ା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରି ମିଳିଛି । “ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡିୟମ’ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଥିପାଇଁ ୬୯୩.୩୫ କୋଟି ବ୍ୟୟବରାଦ କରାଯାଇଛି । ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶକ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ।

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି । ୫-ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଓ କ୍ରୀଡ଼ାବିତମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି । “ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ପ୍ରକଳ୍ପ ଅଧୀନରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ ନିର୍ମାଣ’ କରିବା ନିମନ୍ତେ ଯୋଜନା କରାଯାଇଛି,ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ ।

ଏହି ଇନ୍ଡୋର ଷ୍ଟାଡିୟମ୍ଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଭାରୋତ୍ତଳନ ଆଦି କ୍ରୀଡ଼ା ସହଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡିୟମ୍ ରେ ରହିବ । ଏହି ଆନ୍ତଃଗୃହଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇ ପାରିବ । ଇନ୍ଡୋର ଷ୍ଟାଡିୟମ୍ଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି.ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ଯଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ । ମହାମାରୀ ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡିୟମ୍ଗୁଡ଼ିକ ୫୦ ଗୋଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇ ପାରିବ । ଏହାବାଦ୍ ତାଲିମ୍ ପ୍ରଦାନ, ସଭା ପରି·ଳନା, ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡିୟମ୍ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୂତ ହେବ ।

ଏଥିସହିତ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ୧୪୮ କୋଟି ବ୍ୟୟରେ ଅପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ପୁନରୁଦ୍ଧାର ହେବ । କେନାଲର ୪୧ କିମି ପର୍ଯ୍ୟନ୍ତ କଂକ୍ରିଟ୍ ଲାଇନ୍ କରାଯିବ । ୧୮ ମାସରେ ଏହି ପ୍ରକଳ୍ପ କାମ ସରିବ । କଳାହାଣ୍ଡି ଜିଲ୍ଲାର ୪୨,୪୫୫ ହେକ୍ଟର ଚାଷଜମି ଜଳସେଚିତ ହେବ । ୧୮.୨୩ ଏକର ଜମି ଆଇଆଇଏମ୍କୁ ଶସ୍ତାରେ ଯୋଗାଇ ଦିଆଯିବ । ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ବାଗ୍ଚୀ କରୁଣାଶ୍ରୟକୁ ୪୦ ଏକର ଜମି ଦିଆଯାଇଛି । ଏଥିନେଇ ୨କୋଟି ୯୨ଲକ୍ଷ ଟଙ୍କାର ପ୍ରିମିୟମ୍ ଛାଡ଼ କରିଛନ୍ତି ସରକାର । ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ୩୩୧ କୋଟି ଟଙ୍କାର ଏହି ପ୍ରକଳ୍ପ ୧୮ ମାସ ମଧ୍ୟରେ ଶେଷ ହେବ । ଓପିଏସ୍ସିର ଖାଲିଥିବା ସଦସ୍ୟ ପଦବୀ ପୂରଣକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ପଦରେ ଅଞ୍ଜନ କୁମାର ମାଣିକଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହିତ ଜିଏସ୍ଟି ଆକ୍ଟ-୨୦୧୭ ଆମେଣ୍ଟମେଣ୍ଟକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଓଡ଼ିଶା ଫାୟାର ସର୍ଭିସ୍ ରୁଲ୍ରେ ସଂଶୋଧନ କରାଯାଇଛି । ହୋମଗାର୍ଡଙ୍କ ମଧ୍ୟରୁ ୧୦ ପ୍ରତିଶତ ଅଗ୍ନିଶମରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି ।

Comments are closed.