ଗଜପତି ବଣର ମଲ୍ଲୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ମହକୁଛି

0 95

ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୁଚି ରହିଛି ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷ । ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଖାଲି ଚାଷବାସ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ପ୍ରତିଭାଧାରୀ ମଧ୍ୟ ରହିଛନ୍ତି । ଏଭଳି ଏକ ପରିଚୟର ଗଜପତି ଜିଲ୍ଲାର ବଣର ମଲ୍ଲୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ମହକିବାରେ ଲାଗିଛି । ଗତ କିଛି ଦିନ ହେଲା ଟିଭିରେ ଆସୁଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମୋହନା ବ୍ଲକର ଦମାଦୁଆ ପଞ୍ଚାୟତର ସ୍ୱର୍ଗତ ସତ୍ୟନାରାୟଣ ମାଝୀଙ୍କ ବଡ ପୁଅ ରବିଶଙ୍କର ମାଝୀ । ପରିବାର କହିଲେ ଦୁଇ ଭାଇ ତିନି ଭଉଣୀ ବିଧବା ମା, ବିଧବା ବୁଢି ମା । ପିଲା ବେଳେ ରବି ଯେ କୌଣସି ଗୀତ ବା ବାଦ୍ୟ ବାଜିଲେ ତାଳ ମିଶାଇ ଆପେ ଆପେ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ । ଅଡବା ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢିବା ସମୟରେ ସେ ନୃତ୍ୟ କରି ବେଶ ଖ୍ୟାତ ଅର୍ଜନ କରିଥିଲେ । ହେଲେ ତାଙ୍କ ବାପାଙ୍କ ଇଛା ଥିଲା ପୁଅ ସରକାରୀ ଚାକିରି କରୁ । ପରେ ବ୍ରହ୍ମପୁରରେ ସେ ପଢିବା ସମୟରେ ସାଙ୍ଗ ସାଥୀଙ୍କ ସାହାର୍ଯ୍ୟରେ ୨୦୧୦ରେ ସେ ବ୍ରହ୍ମପୁରରେ ଥିବା ‘ଅଙ୍ଗ ଆହାର’ ନୃତ୍ୟ କଳାରେ ଯୋଗ ଦେଇ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ଓଡିଶୀ ନୃତ୍ୟ ପରିବେଷଣ କରିବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ ।

୨୦୧୨ ମସିହାରେ ସେ ବେଗୁନିଆପଡାରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ସେ ନାରାଜ ଥିଲେ ଚାକିରି କରିବା ପାଇଁ । ବାପାଙ୍କ ଗାଳି ଶୁଣି ତିନି ଦିନ ଧରି ନ ଖାଇ ଘରେ କାନ୍ଦି ରହିଥିଲେ । କିଛି ଦିନ ପରେ ପରିବାର ଲୋକେ ବହୁ ବୁଝା ସୁଝା କରିବା ପରେ ଚାକିରୀରେ ଯୋଗ ଦେଇଥିଲେ । ପୁଣି ନୃତ୍ୟ ମଧ୍ୟ ଶିଶୁଥିଲେ । ୨୦୧୨ରେ ଭୁବନେଶ୍ୱର ଠାରେ ଗୁରୁ ଦୁର୍ଗା ଚରଣ ରଣବିରଙ୍କ ଠାରୁ ଶିକ୍ଷା ଗ୍ରହଣ କରି ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶୀନୃତ୍ୟ କରି ବହୁ ପୁରସ୍କୃତ ଓ ସମ୍ମାନୀତ ହୋଇପାରିଛନ୍ତି । ବର୍ତ୍ତମାନ ସେ ଡିଡି ଓଡିଆରେ ନୃତ୍ୟ ପରିବେଷଣ କରୁଛନ୍ତି । ଯାହାକୁ ନେଇ ଏବେ ଗଜପତି ଜିଲ୍ଲା ଓ ବିଶେଷ କରି ମୋହନା ବ୍ଲକ ଓ ଦମାଦୁଆବାସୀ ବହୁ ଗର୍ବିତ ହୋଇ ଆନନ୍ଦରେ ରବିଶଙ୍କରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ରବିଶଙ୍କର କହିଛନ୍ତି, ଯଦି ରାଜ୍ୟ ସରକାର ଆମ ଅଞ୍ଚଳରେ ବା ମୋହନା ବ୍ଲକରେ ଏକ ନୃତ୍ୟ କଳା ଅନୁଷ୍ଠାନ କରିବେ ତେବେ ଆଦିବାସୀ ଅଞ୍ଚଳରେ ଲୁଚି ରହିଥିବା ଅନେକ ଯୁବତୀ ଯୁବକଙ୍କ ବିଭିନ୍ନ ପ୍ରତିଭାବାନ କଳାର ପରିଚୟ ରାଜ୍ୟ ଓ ରାଜ୍ୟ ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

Leave A Reply

Your email address will not be published.