୨ମାସ ପରେ କଳିଙ୍ଗ ଷ୍ଟାଡିୟମ୍ କୁ ଫେରିବ ହକି ଫିଭର୍ : ଓଡ଼ିଶାରେ ହେବ ଜୁନିଅର ହକି ବିଶ୍ୱକପ

0 55

-ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
-ନଭେମ୍ବର ୨୪ରୁ ଆରମ୍ଭ ହେବ ମହାସମର
-ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍
-ଭାଗ ନେବେ ୧୬ ଦେଶର ଖେଳାଳି

ଭୁବନେଶ୍ୱର : ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ହକିର ହବ ଭାବେ ପରିଚୟ ପାଇଥିବା ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ହକି ଜୁନିୟର ବିଶ୍ୱକପ୍ ଆୟୋଜନ ହେବା ନେଇ ସୂଚନା ମିଳିଥିଲା । କାରଣ ଆୟୋଜନ ପାଇଁ ପ୍ରଥମେ ଗୌହାଟୀ ଦୌଡ଼ରେ ଥିଲା । ଏହାପରେ ଓଡ଼ିଶା ଓ ଲଲଖନଉ ସାମିଲ୍ ହୋଇଥିଲା । ଏବେ ଓଡ଼ିଶା ଏହି ବିଶ୍ୱକପ୍ ଆୟୋଜନ ପାଇଁ ଦାୟିତ୍ୱ ପାଇଛି । ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି । ୨୦୧୮ରେ ଆୟୋଜିତ ସିନିୟର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ୍ ହୋଇଥିଲା ।

ବିଶ୍ୱକପ୍ ଆୟୋଜନ ପାଇଁ ତିନୋଟି ସହର ଧାର୍ଯ୍ୟ ହୋଇଥିଲା । ସେଥିରେ ଓଡ଼ିଶା ସବୁଠାରୁ ଆଗରେ ରହିଥିଲା । ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲା । ଆଜି ଓଡ଼ିଶା ସରକାର ପୁଣିଥରେ ବିଶ୍ୱକପ୍ ଭଳି ମେଗା ଇଭେଣ୍ଟକ ଆୟୋଜନ କରିବାକୁ ହଁ ଭରିଥିଲେ । ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ । ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ । ଉଭୟ ପୁରୁଷ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ଆୟୋଜନ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରୁ ଓହରିଯାଇଥିଲା । ଯାହା ପରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପକ୍ଷରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଅଂଶଗ୍ରହଣକୁ ନେଇ ସନ୍ଦେହ ଦେଖାଦେଇଛି । ଉଭୟ ଟିମ୍ କୋଭିଡ୍ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିପାରନ୍ତି । ତେବେ ଏ ନେଇ ଉଭୟ ଦେଶ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛିୟ ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା । ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

ଓଡ଼ିଶାକୁ ଏଫ୍ଆଇଏଚ୍ ଅଧ୍ୟକ୍ଷଙ୍କ ପ୍ରଶଂସା : ଭୁବନେଶ୍ୱର ହକିର ହବ୍

ହକି ପାଇଁ ଓଡ଼ିଶା ଲକି । ଭୁବନେଶ୍ୱର ବିଶ୍ୱର କ୍ରୀଡ଼ା ହବ । ଓଡ଼ିଶାର ପ୍ରାୟୋଜକରେ ହକି ହାତେଇଛି ଅଲିମ୍ପିକ ଟ୍ରଫି । ଲୋକସେବା ଭବନରେ ଓଡ଼ିଶାକୁ ଏମିତି କିଛି ଢଙ୍ଗରେ ପ୍ରଶଂସା କରିଛନ୍ତି ଏଫ୍ଆଇଏଚ୍ ସଭାପତି ନରିନ୍ଦର ବାତ୍ରା । ଓଡ଼ିଶାରେ ଆଗାମୀ ଜୁନିୟର ହକି ବିଶ୍ୱକପ ୨୦୨୧ ଖେଳାଯିବା ନେଇ ଘୋଷଣା ହୋଇଛି । ଓଡ଼ିଶା ହିଁ ହକି ବିଶ୍ୱକପ ପାଇଁ ଉପଯୋଗୀ ସ୍ଥାନ ବୋଲି କହିବା ସହ ହକି କ୍ରୀଡ଼ାବିତଙ୍କ ପାଇଁ ଓଡିଶାର ପ୍ରତ୍ସୋହନକୁ ପ୍ରଶଂସା କରିଛନ୍ତି ଶ୍ରୀ ବାତ୍ରା । ହକିର ଲୋକପ୍ରିୟତା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହକି ପାଇଁ ଓଡିଶା ଲକି ବୋଲି ସମ୍ବୋଧିତ କରିବା ସହ କଳିଙ୍ଗ ଷ୍ଟାଡିୟମ ହକି ପାଇଁ ଦେଶର ସର୍ବଶ୍ରେଷ୍ଠ ଭେନ୍ୟୁ ବୋଲି ସେ କହିଛନ୍ତି । କ୍ରୀଡାର ବିକାଶରେ ଓଡିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହାରଣ । ଅନ୍ୟପଟେ ହକି ସଚିବ ରାଜିନ୍ଦର ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ କନିଷ୍ଠ ହକି ବିଶ୍ୱକପ୍ । ପୂର୍ବରୁ ଗୈାହାଟୀ ଓ ଓଡ଼ିଶାର ନାମ ଏହି ରେସରେ ରହିଥିଲା । ଶେଷରେ ଓଡ଼ିଶାରେ ହିଁ ହକି ୱାର୍ଲ୍ଡକପ ହେବା ନେଇ ମୋହର ମାରିଛନ୍ତି ହକି ଇଣ୍ଡିଆ ସ଼ଭାପତି । ୨୦୧୮ ମସିହାରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍କପ ସଫଳତାର ସହ ଆୟୋଜିତ ହୋଇଥିଲାବେଳେ ୨୦୨୩ ହେବାକୁ ଯାଉଥିବା ପୁରୁଷ ହକି ବିଶ୍କପ ଭୁବନେଶ୍ୱର ସମେତ ରାଉରକେଲାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.