ଆସନ୍ତାକାଲି ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପୁରୀରୁ ମିଶନ ଉପକୂଳ

0 134

ଭୁବନେଶ୍ୱର : ସୀମାନ୍ତ, ଆଦିବାସୀ ବହୁଳ ଜିଲ୍ଲା ପରେ ଏବେ ସରକାରଙ୍କ ଫୋକସ୍ ରେ ଉପକୂଳ । ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତରେ ଯାଇ ସେଠାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପୂର୍ବରୁ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର ଓ ଗଜପତି ଗସ୍ତରେ ଯାଇ ବିଏସ୍କେୱାଇ କାର୍ଡ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ମୁଖ୍ୟମନ୍ତ୍ରୀ ମାରାଥନ୍ ଜିଲ୍ଲା ଗସ୍ତ ଆରମ୍ଭ ହୋଇଛି । ସୀମାନ୍ତ ଓ ଆଦିବାସୀ ବହୁଳ ଜିଲ୍ଲା ପରେ ଏବେ ଉପକୂଳକୁ ଫୋକସ୍ କରିଛନ୍ତି ସରକାର । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଯେଉଁଠି ଦୁର୍ବଳ ଥିଲା ତାହା ଉପରେ ଶାସକ ଦଳ ଗୁରୁତ୍ୱ ଦେଉଛି । ସୁନ୍ଦରଗଡ଼ରେ ଉଭୟ ସାଂସଦ ଓ ବିଧାୟକ ପଦ ହାତରୁ ଖସିଯାଇଥିଲା । ସେହିପରି ବଲାଙ୍ଗିରରେ ମଧ୍ୟ ଲୋକସଭା ଓ ବିଧାୟକ ଆସନ ବିଜେଡି ହାତେଇ ପାରିନଥିଲା । ପାରଳାଖେମୁଣ୍ଡି ବିଧାନସଭା ଆସନ ମଧ୍ୟ ବିଜେପି ହାତକୁ ଯାଇଥିଲା । ଦିନକ ପରେ ବ୍ରହ୍ମଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ସେଠାରେ ମଧ୍ୟ ବିଜେଡି ୨୦୧୯ରେ ହାରିଥିଲା । ପୁରୀ ଲୋକସଭା ଆସନରୁ ମାତ୍ର ୧୧ହଜାର ବ୍ୟବଧାନରେ ଜିତିଥିଲା ବିଜେଡି । ବ୍ରହ୍ମଗିରି ପରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ମଧ୍ୟ ଯାଇପାରନ୍ତି ।

ଅନ୍ୟପକ୍ଷରେ କରୋନା ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି । ବିଭିନ୍ନ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋକେ ଅଧିକ ଧାରକରଜ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ସରକାରଙ୍କ ଏହି ସ୍ମାର୍ଟ ହେଲଥ କାର୍ଡ ଗେମ୍ ଚେଞ୍ଜର ହେବ ବୋଲି ରାଜନୈତିକ ବିଶାରଦମାନେ ଏବେଠୁ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.