ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

0 121

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରମ୍ପରିକ ଢଙ୍ଗରେ ସର୍ଭେ ସେଟଲମେଣ୍ଟ ପାଇଁ ଅଧିକ ସମୟ ଲାଗୁଥିଲା ବେଳେ ଏବେ ଡିଜିଟାଲ ଟେକ୍ନୋଲୋଜି ଜରିଆରେ କରାଯାଉଛି ଜମି ସର୍ଭେ । ୨୦୧୨ମସିହାରେ ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ସ୍ୱତନ୍ତ୍ର ଆଇନ । ନୂଆ ଆଇନ ଅନୁସାରେ ହାଇଟେକ୍ ସର୍ଭେରେ କମ୍ ସମୟ ସହ କମ୍ ମାନବ ସମ୍ବଳ ଲାଗୁଛି । ନୂଆ ଟେକ୍ନୋଲୋଜି ଯୋଗୁଁ ସର୍ଭେ କାର୍ଯ୍ୟ ସଠିକ୍ ହେଉଛି । ଜିପିଏସ୍ ଏବଂ ସାଟେଲାଇଟ ଜରିଆରେ ଚିହ୍ନଟ ହେଉଛି ଜମି । ନୂଆ ଆଇନ ଲାଗୁ କରିବାକୁ ୫ ଜିଲ୍ଲା ଦେବଗଡ଼, ସୋନପୁର, ବଲାଙ୍ଗୀର,ସମ୍ବଲପୁର, ସୁନ୍ଦରଗଡ଼ରେ ବିଜ୍ଞପ୍ତି ହୋଇଛି । ଏରିଏଲ ଫଟୋଗ୍ରାଫି ସହ ଡିଜିପିଏସ୍ ଓ ଇଟିଏସ୍ ଜରିଆରେ ବାସ୍ତବ ପ୍ଲଟ୍ର ମେଳ କରାଯାଉଛି । ଦେବଗଡ଼ର ୭୬୨ ଗାଁରେ ନୂଆ ଆଇନ ଅନୁସାରେ ହାଇଟେକ ସର୍ଭେ ହୋଇଛି । ନକ୍ସା ପ୍ରସ୍ତୁତି ପରେ ଜମି ମାଲିକଙ୍କୁ ଆରଓଆର
ଦିଆଯାଉଛି ।

ଆରଓଆର ହେଉଛି ପ୍ରାରମ୍ଭିକ ରେକର୍ଡ ଅଫ୍ ରାଇଟ୍ସ, ଏଥିରେ ଜମି ମାଲିକ ଅସନ୍ତୁଷ୍ଟ ହେଲେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ଦେବଗଡ଼ ଜିଲ୍ଲାର ୫୫୪ ଗାଁରେ ଚୂଡାନ୍ତ ପଟ୍ଟା ବଣ୍ଟନ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ଦସ୍ତଖତରେ ୫୫୪ ଗାଁରେ ଚୂଡ଼ାନ୍ତ ପଟ୍ଟା ବଣ୍ଟନ ହୋଇଛି । ନୂଆ ଆଇନ ଅନୁସାରେ ପଟ୍ଟାରେ ନିର୍ଦ୍ଦିଷ୍ଟ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ଉଲ୍ଲେଖ ରହୁଛି । ପୂର୍ବ ଆଇନରେ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ରହିବା ବ୍ୟବସ୍ଥା ନଥିଲା । ନୂଆ ଆଇନରେ ଅଭିଯୋଗର ସମାଧାନ ପାଇଁ ପ୍ରତିସ୍ତରରେ ବ୍ୟବସ୍ଥା ରହିଛି । ଆରଓଆରରେ ସମସ୍ୟା ଥିଲେ ଏଡିଏମ୍ଙ୍କ ନିକଟରେ କରିପାରିବେ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ବୋଲି ନୂଆ ଆଇନରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଥିବା ଦେଖାଯାଇଛି ।

୨ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ମିଳିଲା ସ୍ମାର୍ଟ ହେଲଥ୍ କାର୍ଡ :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲଥ୍ କାର୍ଡ ପାଇଥିବା ବେଳେ ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ
ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପାଇଲେଣି । ହିତାଧିକାରୀମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଉଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେବଗଡ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡିଶା ପାଇଁ ପ୍ରକୃତିର ଏକ ବରଦାନ । ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଜିଲ୍ଲାରେ ଶିକ୍ଷାବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୮୭ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତିନୋଟି ମେଗା ପାଇପ୍ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନୋଟି ବ୍ଲକକୁ ପାଇପ୍ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଦେବଗଡ ପୌରାଞ୍ଚଳ ପାଇଁ ମଧ୍ୟ ଏକ ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ ଦେବଗଡରେ ଏକ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ରଖିଥିଲେ । ଏଥିପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଦେବଗଡବାସୀ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ବିଶେଷକରି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନ ବଢୟଇଛି ବୋଲି ମତ ଦେଇଥିଲେ । ବିଧାୟକ ସୁବାସ ପାଣିଗ୍ରାହୀ ଏହି ସ୍ମାର୍ଟ ହେଲଥ୍ କାର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.