ଅପରାଜେୟ ନବୀନ

0 68

ଭୁବନେଶ୍ୱର : ସେବା, ବିକାଶ ଓ ସୁଶାସନ ଜରିଆରେ ସମଗ୍ର ଦେଶକୁ ନୂଆ ଦିଶା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସାନପୁଅ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଯେତେବେଳେ ରାଜନୀତିକୁ ପ୍ରବେଶ କଲେ, ସେ ସମୟରେ କେହି ଭାବିନଥିଲେ ଦିନେ ନବୀନ ସବୁ ବିଚକ୍ଷଣଙ୍କ ବୁଦ୍ଧି ହଜେଇ ଦେବେ ବୋଲି । ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ଥିବା ସମଗ୍ର ଦେଶରେ ସେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା । କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ନବୀନଙ୍କ ନିକଟରେ ବିରୋଧୀଙ୍କ ସବୁ ଅସ୍ତ୍ର ଫେଲ୍ ମାରୁଛି । କାରଣ ସେ ଲୋକଙ୍କ ହୃଦୟର ନେତା, ଜନମାନସର ନେତା । ୧୯୯୭ ଆସିକା ଲୋକସଭା ଆସନ ପାଇଁ ଉପନିର୍ବାଚନଠାରୁ ଆରମ୍ଭ କରି ୨୦୧୯
ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ଅନବିଟେବୁଲ ଇନିଂସ୍ । ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଓଡ଼ିଶା ରାଜନୀତିକୁ ସେ ପ୍ରବେଶ କରିଥିଲେ । ବିଜୁଙ୍କ ପ୍ରତି ଥିବା ରାଜ୍ୟବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାକୁ ସମ୍ମାନ ଦେଇ ପ୍ରଥମେ ୧୯୯୭ରେ ଜନତା ଦଳ ପ୍ରାର୍ଥୀ ଭାବେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ । ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହେଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

୧୯୯୯ ମହାବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲାରେ ତକ୍ରାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡ଼ିଶାବାସୀ କଂଗ୍ରେସ ଉପରୁ ମୁହଁ ଫେରାଇ ନେଇ ଭରସା କରିଥିଲେ ନବୀନଙ୍କ ଉପରେ । ୨୦୦୦ ମସିହାରେ ଶାସନ ଭାର ସମ୍ଭାଳିବା ଦିନରୁ ଓଡ଼ିଶାବାସୀଙ୍କୁ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ଲୋକାଭିମୁଖୀ ଶାସନର ନୂଆ ସଂଜ୍ଞା ସେ ଦେଇଛନ୍ତି । ଦୁର୍ନୀତିର ଛିଟା ପଡ଼ିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ନେତା, ମନ୍ତ୍ରୀ, ପ୍ରଶାସକ କେହି ବି ହୁଅନ୍ତୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଏ ମନ୍ତ୍ରୀପଦ ହରାଇଛି ତ କାହାକୁ ଦଳରୁ ବିଦା କରାଯାଇଛି । ଗତ ୨୧ ବର୍ଷ ମଧ୍ୟରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡ଼ିଛନ୍ତି । ଆଉ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ହୋଇଛି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ । କେବଳ କଥାରେ ନୁହେଁ, କାମରେ ବିଶ୍ୱାସ କରୁଥିବା ଏଭଳି ଜଣେ ସ୍ୱଳ୍ପଭାଷୀ ଓ ଚୀରକୁମାର ନେତାଙ୍କୁ କ୍ରମାଗତ ଭାବେ ରାଜ୍ୟବାସୀ ୫ଥର ମୁଖ୍ୟମନ୍ତ୍ରୀ ଭାବେ ଜିତାଇଛନ୍ତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ପରଠାରୁ ଏକାକି ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି । ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ୍ ହାର ବଢୁଛି ।

୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୭ରୁ ୨୯ ପ୍ରତିଶତ ଭୋଟ୍ ପାଉଥିଲା । ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ପ୍ରତିଶତକୁ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା । ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ୱଚ୍ଛଳ ଓଡ଼ିଶା- ଯାହା ଦିନେ ସ୍ୱପ୍ନ ଭଳି ଲାଗୁଥିଲା ତାହା ଆଜି ସମ୍ଭବ ହୋଇଛି । କାହା ପାଖରେ ହାତ ପତେଇବାକୁ ପଡୁନି । ଓଭରଡ୍ରାଫ୍ଟ ସିଷ୍ଟମରେ ପଡ଼ିଛି ତାଲା । ଚାଷୀଙ୍କ ଆୟ ବଢିଛି, ରୋଜଗାର ବଢିଛି, ବ୍ୟାପକ ଶିଳ୍ପାୟନରେ ଯୁବକଙ୍କ ପାଇଁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ, ରାସ୍ତାଘାଟ ଠାରୁ କ୍ରୀଡ଼ା କ୍ଷେତ୍ର ଯାଏଁ ସବୁଠି ବିଶ୍ୱସ୍ତରୀୟ ଭିତ୍ତିଭୂମି ଭୋକର ଭୂଗୋଳରୁ ଓଡ଼ିଶା ଆଜି ଶସ୍ୟ ସମୃଦ୍ଧ । କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି । ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟ୍ର ଏହି ଖେଳାଳି ପ୍ରମାଣିତ କରିଛନ୍ତି ଯେ, ଦିଲ୍ଲୀରେ ଓଡ଼ିଆ ଅଛୁଆଁ ନୁହେଁ । ବିକାଶ ସାଙ୍ଗକୁ ରାଜନୀତିକୁ ମଧ୍ୟ ନୂଆ ଫଣ୍ଡା ଦେଇଛନ୍ତି ନବୀନ । ସେ ଆକ୍ଷେପ-ପ୍ରତିଆକ୍ଷେପର ଚିରାଚରିତ ରାଜନୀତିରୁ ବହୁ ଊଦ୍ଧ୍ୱର୍ରେ ଥାଆନ୍ତି ।

ବିରୋଧୀଙ୍କ ସବୁ ଚାଲ ଓ ଅସ୍ତ୍ର ଯେତେବେଳେ ଫେଲ୍ ମାରେ ସେତେବେଳେ ନବୀନ ଆରମ୍ଭ କରନ୍ତି ନିଜର ଗୋଟି ଚାଳନା । କେହି କିଛି ବୁଝିବା ଆଗରୁ ଗଡ଼ ଦଖଲ ହୋଇ ସାରିଥାଏ । ଏହାହିଁ ତାଙ୍କ ବିଚକ୍ଷଣତା ଓ ଦୂରଦୃଷ୍ଟି ସମ୍ପନ୍ନ ରାଜନୀତିକୁ ପ୍ରମାଣିତ କରୁଛି । ରାଷ୍ଟ୍ରପତି ନିର୍ବାଚନଠାରୁ ରାଜ୍ୟସଭା ନିର୍ବାଚନ ଯାଏଁ ସବୁଠି ନବୀନଙ୍କ ଅପ୍ରତ୍ୟାଶିତ ଗେମ୍ ବୁଝିବା କାଠିକର ପାଠ । ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡିବା ଏବଂ ପରବର୍ତ୍ତି ସମୟରେ ଚାରୋଟି ଯାକ ଆସନ ଏକାକୀ ଦଖଲ କରିବାର କଳା କେବଳ ନବୀନଙ୍କୁ ହିଁ ଜଣା । ସେହିଭଳି ତାଙ୍କ ଡାଇନିଂ ଟେବୁଲ ରଣନୀତି ବି ନିଆରା । ପରସ୍ପର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ଗୋଟିଏ ଟେବୁଲରେ ଏକାଠି ବସାଇବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ଅଛି । ଖାଲି ଏତିକି ନୁହେଁ କରୋନା ମହାମାରୀ ମୁକାବିଲା କରିବାରେ ମଧ୍ୟ ଓଡ଼ିଆ ଆଗରେ । ତାଙ୍କର ଦୂରଦୃଷ୍ଟିକୁ ଏବେ ସାରା ଦେଶ ଦେଖୁଛି । ଯେତେବେଳେ କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ଖେଳିଯାଇଥିଲା ସେତେବେଳେ ଆଗୁଆ ପଦକ୍ଷେପ ନେଇଥିଲା ଓଡ଼ିଶା । ଦେଶରେ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ କିଛି ଜିଲ୍ଲା ଓ ସହରାଞ୍ଚଳରେ ସଟ୍ଡାଉନ୍ ଘୋଷଣା କରିଥିଲେ ସେ । କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ, କୋଭିଡ୍ ରୋଗୀଙ୍କୁ ତ୍ୱରିତ ଚିକିତ୍ସ ସୁବିଧା ମିଳିବ ସେଥିପାଇଁ କମ୍ ସମୟ ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ, କୋଭିଡ୍ ହେଲଥ୍ ସେଣ୍ଟର ଆଦି ନିର୍ମାଣ କରାଯାଇଥିଲା । ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସଙ୍ଗରୋଧ କେନ୍ଦ୍ର କରାଯିବା ସହିତ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଆଉ ଏକ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ସେ ।

ଓଡ଼ିଶାବାସୀଙ୍କ ଭଲ ପାଇବା ନିମନ୍ତେ ଋଣୀ: ମୁଖ୍ୟମନ୍ତ୍ରୀ

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟଧରି ଲୋକପ୍ରିୟତାର ଶୀର୍ଷ ପରିଚୟରେ ସମଗ୍ର ଦେଶରେ ଅଦ୍ୱିତୀୟ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟି କୋଟି ଓଡ଼ିଆଙ୍କ ହୃଦୟର ମଉଡମଣି । କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ଅପରାଜେୟ ହୋଇଛନ୍ତି । ସଫଳତାର ଏହି ମହା ଜନନାୟକ ନବୀନଙ୍କର ଆଜି ହେଉଛି ୭୬ତମ ଜନ୍ମଜୟନ୍ତୀ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ସେ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନକୁ ପାଳୁନାହାନ୍ତି । ଓଡ଼ିଶାବାସୀଙ୍କ ଭଲ ପାଇବା, ଆଶୀର୍ବାଦ ଓ ଶୁଭେଚ୍ଛା ପାଇଁ ସେ ସବୁବେଳେ ଋଣୀ ବୋଲି କହିଛନ୍ତି । କୋଭିଡ୍ ଯୋଗୁ ଗତ ଦେଢ଼ବର୍ଷ ହେଲା ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ନବୀନ ନିବାସ ନ ଆସି କୋଭିଡ୍ ରେ ମୃତ୍ୟୁବରଣ କରିଥିବା ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ୍ ହେବାକୁ ନିବେଦନ କରିବା ସହ ଏହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.