ଜୀବନ ଦର୍ଶନର ଦଳିଲନାମା : ଏକୂଳ ସେକୂଳ

66

ଜୀବନ ଦର୍ଶନର ଦଳିଲନାମା : ଅକ୍ଷୟ ବେହେରାଙ୍କ ଏ କୂଳ ସେ କୂଳ ଏ ସଂସାର ରୂପକ ନଈରେ କବି ଅକ୍ଷୟ ବେହେରାଙ୍କ ଭଳି ଜଣେ ସଂବେଦନଶୀଳ ନାଉରିଆ ଜଣେ ଈଶ୍ୱରଙ୍କ ଇଚ୍ଛା ନେଇ ନଈରେ ଡଂଗା ବାହି କାହିଁ କେତେଦୂର ଗଲା ପରେ ଏକ ଅଜଣା କୂଳରେ ନାଆ ବାନ୍ଧି କଦମ୍ବ ଗଛ ତଳେ ଥକ୍କା ମେଣ୍ଟାନ୍ତି । ଆଉ ଠିକ୍ ସେତେବେଳେ ଅନତି ଦୂରରେ ଉପଲବ୍ଧି କରନ୍ତି କେଉଁ ଏକ ଦେବୀଙ୍କୁ , ସେ ମଧ୍ୟ ଈଶ୍ୱରଙ୍କ ଇଚ୍ଛାରେ ଅନେଇ ରହିଛନ୍ତି ଦୂର ଦିଗବଳୟକୁ । ଏ କୂଳ ସେକୂଳ କାବ୍ୟର ମୁଖବନ୍ଧରେ କବିସତ୍ତାଙ୍କ ଏ ଆତ୍ମସ୍ୱୀକାରୋକ୍ତି ପ୍ରମାଣିତ କରିଛି ତାଙ୍କ ବିଭୁପଦାଙ୍କରେ ଅଗାଧ ବିଶ୍ୱାସକୁ । କବି ଭ୍ରମି ଭ୍ରମି ପରିଶେଷରେ କେବଳ କବିତାର ସନ୍ଧାନ ପାଇବା ଏବଂ କବିତା ଭିତରେ ଜୀବନକୁ ତଲ୍ଲୀନ କରିଦେବା ଭିତରେ ଜଣେ ସଚ୍ଚୋଟ ଏବଂ ଖାଣ୍ଟି କବିଙ୍କୁ ପାଠକ ଭେଟିଥାଏ । ଓଡିଆ ପାଠକ ମହଲରେ ନିଜ ସରଳ ଶବ୍ଦାବଳୀ, ନିରଳସ ସ୍ୱର ସଂଯୋଜନା ଓ ସହୃଦୟତା ଲାଗି ପରିଚିତ କବି ଅକ୍ଷୟ ବେହେରାଙ୍କ ଏହି କବିତା ସଙ୍କଳନ ଏ କୂଳ ସେ କୂଳର ଅକ୍ଷର ସବୁ କାଳର କପାଳରେ ପ୍ରେମର ଅକ୍ଷତ ଅଧ୍ୟାୟ ହୋଇ ରହିବ, ଏଥିରେ କୌଣସି ସଂଦେହ ନାହିଁ।

ଏ ପୁସ୍ତକର ସଂପାଦକ ଶ୍ରୀ ବନୋଜ ତ୍ରିପାଠୀ ମହୋଦୟ କହନ୍ତି: ପ୍ରେମକୁ କେହି କେହି ନଈ ବୋଲି କହନ୍ତି, ଯେଉଁ ନଈ କେବେ କୂଳ ଖାଏ ତ କେବେ ସୁନାବ୍ୟା ହୋଇ କୂଳୁ କୂଳୁ ଝଲସୁଥାଏ । ଏ କୂଳରେ ଆଉ ସେ କୂଳରେ ବନ୍ଧା ହୋଇଥାଏ ଦୁଇଟି ଜୀବନର ଡଂଗା । ହୁଏତ ଏ ନଈ ପୁଣି କେବେ କବିତା ପରି, କେବେ ଜୀବନ ପରି ଆଉ କେବେ ଆଙ୍ଗୁଠି ସଂନ୍ଧିରୁ ଖସିଚାଲିଥିବା ସମୟ ପରି । ସେ ନଈର କଥା କବି ଅକ୍ଷୟ ବେହେରାଙ୍କ ଏ କାବ୍ୟରେ ଯେଉଁଠି ନଈର ଚିତ୍ର ଯେତେ ସତ ସେତେ ସତ ପ୍ରେମ । କେତେବେଳେ ଏ ପ୍ରେମ ନିଦାରୁଣ ରସଘନ, ଯେଉଁଠି କୁଙଋା ନାହିଁ, କୂଜନ ଅଛି, ଛଳ ଛଳ ଆବେଗ ଅଛି, ପାଇବାର ଯେତେ ଅଛି, ହରାଇବାର ଆଗ୍ରହ ବି ସେତେ ଅଛି । ପାଇ ହରାଇବାର କି ହରାଇ ପାଇବାର ଗୋଲକଧନ୍ଦା ନାହିଁ । ସରଳ, ତରଳ, ଲଳିତ ଓ ଛାନ୍ଦସିକ ଏ ନଈର କବିତା, ଜୀବନର କୂଳ ଭେଦି କ୍ରମଶଃ ଆଗେଇ ଚାଲିଥିବା ଅସରନ୍ତି ପ୍ରେମ ଆଡକୁ ତାର ଅନ୍ୱେଷଣ । କାବ୍ୟ ସଂପର୍କରେ କାଦମ୍ବିନୀ ପତ୍ରିକା ମତ ଦେଇ ଲେଖିଥିଲେ : ଏ କୂଳ ସେ କୂଳ ଏକ ପୁଷ୍ପ ସଦୃଶ, ଯାହାର ରହିଛି ଛଅସ୍ତରିଟି ପାଖୁଡା । ହଁ, ଏ କାବ୍ୟଟି ସର୍ବମୋଟ ଛଅସ୍ତରିଟି ବିଭାଗକୁ ନେଇ ସୃଷ୍ଟ । ପ୍ରତ୍ୟେକଟି ଏକ ଏକ ସ୍ୱୟଂସଂପୂର୍ଣ୍ଣ କବିତା । କିନ୍ତୁ ଏମାନେ କାବ୍ୟର ଅଂଶବିଶେଷ । ଆଲୋଚ୍ୟ କାବ୍ୟର ପ୍ରଥମ ବିଭାଗ ଖୁବ୍ ଭାବଗର୍ଭକ ଓ ମାର୍ମିକ । ପ୍ରେମରେ ଅନୁବନ୍ଧିତ ପ୍ରେମୀ ଯୁଗଳ ନଦୀର ଦୁଇଟି ପାଶ୍ୱର୍ରେ ଅବସ୍ଥିତ । ଦୂରତାକୁ ମନ ସୂତାରେ ଗୁନ୍ଥି ନିରୋଳାପଣକୁ ନେଇ ପ୍ରେମିକ ପ୍ରେମିକା କାଳାତିପାତ କରୁଛନ୍ତି ।

କବି ଏଇଠି ଲେଖନ୍ତି: କେତେ କାଳ ଏମିତି ବସିଥିବା କେଉଁ ଜନ୍ମର ଅଭିଶପ୍ତ ଚକୋର ଚକୋରୀ ଆମେ ଦୂରତାକୁ ଗୁନ୍ଥି ମନର ସୂତାରେ ନିରୋଳାପଣକୁ ଗେହ୍ଲା ପୁଅ ଝିଅ ପରି କୋଳେଇ ଆପଣା ଆପଣା ନାଆ ବାନ୍ଧି ସଂସାର ଘାଟରେ । ଏହି କ୍ଷୋଭ ପୁଣି ପରିବର୍ଦ୍ଧିତ ହୋଇଛି ଦ୍ୱିତୀୟ ପର୍ଯ୍ୟାୟରେ । ତଥାପି ପ୍ରେମ ବଳବତ୍ତର ରହିଛି ଖୁବ୍ ଦୃଢ ହୋଇ ଦୁହିଁଙ୍କ ଭିତରେ । ପ୍ରେମର ପୁଲକ କେତେ ଯେ ନିଃସର୍ତ୍ତ ଓ ସ୍ୱର୍ଗୀୟ ତାହା କେବଳ ବିଚ୍ଛେଦରେ ଜଣାଯାଏ । କବି ଶ୍ରୀ ବେହେରାଙ୍କ କାବ୍ୟର ଉକ୍ତ ପର୍ଯ୍ୟାୟଟି ପ୍ରେମର ଏକ ଶ୍ଳୋକ କହିଲେ ଅତ୍ୟୁକ୍ତି ହେବନାହିଁ । କବିଙ୍କ ଭାଷାରେ: ଯେବେ ଖୋଜିବ ଥିବି ଜହ୍ନ ବଗିଚାରେ ତ ମିଶିଥିବି ଅନ୍ଧାର ଦେହରେ ଡାକି ଦେଲେ ଓ କରୁଥିବି ଚାଲୁଥିବି ତୁମ ସାଥେ ସାଥେ ଅଦୃଶ୍ୟରେ ତୃତୀୟ ପର୍ଯ୍ୟାୟରେ ପ୍ରେମିକ ପୁରୁଷ ଜଣକଙ୍କ ଦୁଃଖାନୁଭୂତିରେ କବି ମଣିଷ ଜୀବନର ଅନ୍ତଶ୍ଚେତନାକୁ ପର୍ଯ୍ୟାଲୋଚନା କରିଛନ୍ତି । ମୃତ୍ୟୁ ପଶ୍ଚାତ୍ ଆଉଥରେ ପ୍ରେମିକାକୁ ଭେଟିବାର ସୁଯୋଗ ହରେଇବାର ବିଷାଦକୁ ପ୍ରେମିକ ପୁରୁଷ ଏଠି ଉପସ୍ଥାପନା କଲାବେଳେ କବି ଗାଇଛନ୍ତି: ଥରେ ସବୁ କିଛି ପଛ କରି ଗୋଡ କାଢି ନେଲା ପରେ ଆଉ କେଉଁ ବିଶ୍ୱାସ କରନ୍ତି ଯେ ମୁଁ ଫେରିବି ଭେଟିବି ତୁମକୁ ସେଇ ନଈ ଘାଟରେ ସବୁ ଦିନ ପରି । ମୃତ୍ୟୁ ପଶ୍ଚାତ୍ କିଛି ଦିନ ପରେ ଲୋକେ ଧୀରେ ଧୀରେ ଦୁଃଖକୁ ଦେହସୁହା କରି ରହିଥାନ୍ତି । ସଂସାର ଅଟକେ ନାହିଁ । ତା ବାଟରେ ଚାଲିଥାଏ ଆଗକୁ । ଏହା କବି ଭାବନାରେ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି: ଦିନା କେତେ ଦେହସୁହା ସତ୍ୟକୁ ଛାତିରେ ଚାପି ଗ୍ରହଣ କରିନେବ ଯିଏ ଗଲା ସିଏ ଗଲା କିଏ କାହା ପାଇଁ କଣ କେଉଁଠି ଅଟକି ଯାଇଛି ? ଏ ତ ସଂସାର ହେବାର ୟାକୁ ଗ୍ରହଣ କରିନେବା ଛଡା ଆଉ ଦ୍ୱିତୀୟ ବାଟ କିଛି ଦିଶୁ ନଥିବ ।

ଚତୁର୍ଥ ପର୍ଯ୍ୟାୟରେ ଠିକ୍ ଏଇ ଭାବନାକୁ ବାଢିଦେଲା ବେଳେ କବି ଲେଖନ୍ତି: ଯିଏ ଯେଉଁଠି ଥାଅ କଥା ନାହିଁ ଭଲରେ ହିଁ ଥାଅ ସ୍ମୃତି ମାନଙ୍କୁ ପଛ କରି ହସୁଥାଅ କିଛି ନ ଘଟିଲା ପରି ବା କେହି ଜଣେ ଫେରିଯାଇଛି ଆଉ ମନେ ନ ପକେଇ ପଞ୍ଚମ ପର୍ଯ୍ୟାୟରେ କାବ୍ୟ ପୁରୁଷ ମର୍ମାହତ ହୋଇ ଲେଖିଛନ୍ତି ଯେ ଅଧା ଜୀବନରେ ଆରପାରିକି ଚାଲିଗଲେ କାହା ପାଇଁ କିଛି ନ କରିବାର ଅବଶୋଷ ରହିଥାଏ । ଷଷ୍ଠ ପର୍ଯ୍ୟାୟରେ ସେ ପୁଣି ସ୍ୱୀକାରୋକ୍ତି ବାଢିଛନ୍ତି ଗଲାବେଳେ କିଛି ନ ନେଲେ ବି ସ୍ମୃତି କିଛି ଛାଡି ଦେଇ ଏଇ ପାର୍ଥିବ ସଂସାରରେ ଆଉ କିଛି ସ୍ମୃତି ସାଉଁଟି ଯିବା କଥା । ନ ଭୂଲିବି ବୋଲି ପ୍ରିୟ ପରିଜନ ସାଥୀରେ ନେଉଛି ସ୍ମୃତି ଭରା ଦିନ ବାଟ ଚାଲୁ ଚାଲୁ ଯଦି ପଡେ ଥକି ସ୍ମୃତିରେ ସ୍ମୃତିରେ ନେଉଥିବି ଡାକି । ଦଶମ ପର୍ଯ୍ୟାୟରେ କବି ଖୁବ୍ ଦାର୍ଶନିକ ତଥ୍ୟକୁ ପରଶି ଦେବା ବେଳେ ଲେଖିଛନ୍ତି: ଜୀବନକୁ ପ୍ରତିଥର ବାଜି ଲଗାଇ ଯୁଝିଛି, ରୁଦ୍ଧିରାକ୍ତ ହୋଇଛି ତ ପୁଣି ଉଠିଛି ମାଟିରୁ ନୂଆ ଶକ୍ତି ନେଇ ନୂଆ ଉନ୍ମାଦନା ଭରି ଏ ଜଖମ ଦେହରେ । ଜୀବନ ହାରିବାର ନୁହଁ ବରଂ ସଂଘର୍ଷ ସହ ଜିତିବାର ନାମ ଜୀବନ ବୋଲି ଏଇଠି କବି ପ୍ରମାଣିତ କରିଛନ୍ତି । ନିଃସଂଗତାର ପରିଧିରୁ ବାହାରିବା ପାଇଁ ପ୍ରିୟଜନଙ୍କ ପଦୁଟିଏ ସ୍ନେହବୋଳା ପଦ ହିଁ ଲୋଡାଥାଏ । ନହେଲେ ପ୍ରେମ ଭରା ସ୍ମିତହାସଟିଏ ଦରକାର ହୁଏ ।ଚଉଦ ନମ୍ୱର ପର୍ଯ୍ୟାୟରେ ଏ ଭାବକୁ ବର୍ଣ୍ଣନା କଲାବେଳେ କବି ଉଚ୍ଚାରଣ କରନ୍ତି : ସେଦିନ ଭାରି ଖୁସି ଲାଗିଲା ଯେବେ ଫେରିବା ବେଳେ ଥରେ ପଛକୁ ଅନେଇ ହସିଦେଇ ଗଲ ଖାଁ ଖାଁ ନୀରବତା ଅପରାହ୍ନର ମଉଳା ଖରା ସବୁ ଭରିଗଲା କେତେ କଥାରେ । ସଂପ୍ରତି ମଣିଷ ଈର୍ଷା, ଅସୂୟା , ପ୍ରାଚୁର୍ଯ୍ୟର ଲୋଭରେ ବିମୋହିତ ହୋଇ ମଣିଷ ପଣିଆକୁ ଭୁଲି ବସିଛି । କବି ଜଣେ ଦାର୍ଶନିକର ମନୋରଥ ନେଇ ଲେଖନ୍ତି (ଚଉସ୍ତରୀ ପର୍ଯ୍ୟାୟରେ) ଯେ ଏଭଳି ପରିସ୍ଥିତିରେ ନିଶ୍ଚିତ ଭାବେ ବିନାଶ କାଳ ଆସିବ ପୃଥିବୀ ପାଇଁ । ଈର୍ଷା, ଅସୂୟା , ପ୍ରାଚୁର୍ଯ୍ୟର ଆଖି ନିଃସ୍ୱ କରୁଛି ସୁନା ମାଟି ଭାବିବାକୁ ସମୟ କାହାର ଅଛି ଧୀରେ ଧୀରେ ଆସୁଛି ବିନାଶର ବେଳା । କାବ୍ୟର ଶେଷ ପର୍ଯ୍ୟାୟରେ କବି ଜୀବନତତ୍ତ୍ୱର କଥା ବଖାଣିବା ବେଳେ ପୁନର୍ଜନ୍ମ ସଂପର୍କରେ ବି ତଥ୍ୟ ଦେଇଛନ୍ତି । ପୁନଶ୍ଚ ଯାହା ଶେଷ ପରି ଦିଶେ ସେଠୁ ପୁଣି ଆରମ୍ଭ ଅଦୃଶ୍ୟର ଡୋର ଝିଙ୍କୁଥିବ ମୋ ଆତ୍ମାକୁ ତୁମ ଆତ୍ମାରେ ଯୋଡି । କାବ୍ୟର ପ୍ରତ୍ୟେକ ପର୍ଯ୍ୟାୟ ଜୀବନ ଦର୍ଶନର ଏକ ଏକ ଦଲିଲନାମା ଏବଂ ଏହି ଭାବାନୁଭାବର ବିଶ୍ଳେଷଣ କରି କବି ପାଠକ ସମ୍ମୁଖରେ ଜଣେ ଦାର୍ଶନିକ ଭାବେ ପ୍ରତୀୟମାନ ହୋଇଛନ୍ତି ଏକଥାରେ ଦ୍ୱିମତ ନାହିଁ ।

ସମୀକ୍ଷକ ଜଣେ କବି ଓ ବାଲିଶଙ୍କରା- ସୁନ୍ଦରଗଡ଼ ସରକାରୀ କଲେଜରେ ଓଡ଼ିଆ
ଅଧ୍ୟାପିକା

Comments are closed.