ଅସୁରକ୍ଷିତ ହିନ୍ଦୁ

43

ପଡୋଶୀ ବାଂଲାଦେଶରେ ଗତ କିଛି ଦିନ ଧରି ଚାଲିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ । ଗତ ଶୁକ୍ରବାର ଠାରୁ ବାଙ୍ଗଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଚାଲି ଆସିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛିଫ ବାଂଲାଦେଶର ରଙ୍ଗପୁର ଜିଲ୍ଲାର ରାମନାଥପୁର, ମାଝିପାଲ୍ଲୀ ଅଂଚଳରେ ଦଙ୍ଗାକାରୀମାନେ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ପାଖାପାଖି ୧୦୦ ରୁ ଅଧିକ ଘରେ ନିଆଁ ଲଗାଯାଇଥିବା ବେଳେ ବହୁ ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶୁକ୍ରବାର ଦଙ୍ଗାକାରୀମାନେ ବାଙ୍ଗଲାଦେଶ ନୋଅଖାଲି ଜିଲ୍ଲାରେ ଦୁର୍ଗା ପୂଜା ଚାଲିଥିବା ବେଳେ ପ୍ରଥମେ ଲୋକଙ୍କୁ ଉପରେ ଆକ୍ରମଣ କରାଯାଇଥିଲା । ପ୍ରାୟ ୨୦୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ଦୁର୍ଗାପୂଜା ମଣ୍ଡପ ଉପରେ ଆକ୍ରମଣ କରି ତୁମୁଳ କାଣ୍ଡ ଘଟାଇଥିଲେ । ଦୁର୍ଗାପୂଜା ମଣ୍ଡପରେ ଆକ୍ରମଣ ଘଟଣାରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିନ୍ଦୁ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା ଘଟଣାରେ ଲିପ୍ତ ଦୁର୍ବୃତ୍ତଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦଙ୍ଗାକାରୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇନାହିଁ ଯାହାକି ଚିନ୍ତାର ବିଷୟ । ବିଗତ କିଛିବର୍ଷ ଧରି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି । ଦୁର୍ଗା ପୂଜାରେ ମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ବିରୋଧ ତାର ତାଜା ଦୃଷ୍ଟାନ୍ତ । ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ସାମ୍ପ୍ରଦାୟିକ ସଂଘର୍ଷକୁ ରୋକିବା ସେଠାକାର ସରକାରଙ୍କ ଦାୟିତ୍ୱ । ଭାରତ ସହିତ ବାଂଲାଦେଶର ଦ୍ୱିପାକ୍ଷିକ ସମ୍ପର୍କ ଭଲ ଥିବା ବେଳେ କିଛି ଉତ୍ତେଜନା ସୃଷ୍ଟିକାରୀ ଓ ପଥଭ୍ରଷ୍ଟ ବାଂଲାଦେଶୀ ମୁସଲିମ ହିନ୍ଦୁଙ୍କୁ ନିର୍ଯାତନା ଦେଇଥିବା ଯେଉଁ ଅଭିଯୋଗ ଆସିଛି ତାହାକୁ ହସିନା ସରକାର ଦୃଢ଼ ହସ୍ତରେ ଦମନ କରିବା ଦରକାର ।

Comments are closed.