ପ୍ଲାଷ୍ଟିକ ବସ୍ତାରେ ବାଘ ଚମଡ଼ା ପୁରାଇ ବିକ୍ରି ଯୋଜନା

65

ବୌଦ୍ଧ : ବୌଦ୍ଧ ଜିଲାରେ ବନ୍ୟଜନ୍ତୁଙ୍କ ଅବାଧ ଶିକାର ହେଉଥିବା ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗର ନିଦ୍ରା ଭଙ୍ଗ ହେଉନାହିଁ । ଜିଲାରେ ପୂର୍ବରୁ ହାତୀଦାନ୍ତ, ବାଘ ଚମଡ଼ା ଆଦି କାରବାର ହେଉଥିବା ନେଇ ଅନେକ ନଜିର ରହିଛି । ଏବେ ଆଉ ଥରେ ଭୁବନେଶ୍ୱର ଏସଟିଏଫ୍ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଛକ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଘଟଣାରେ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗ୍ରାମର ଗଣରାମ ଭୋଇଙ୍କ ପୁଅ ଜୀବର୍ଦ୍ଧନ ଭୋଇ ।

ମନମୁଣ୍ଡା ଥାନା ଅଞ୍ଚଳରେ ବାଘଛାଲ କାରବାର ହେଉଥିବା ନେଇ ଏସଟିଏଫ୍ ଖବର ପାଇଥିଲା । ଏସଟିଏଫ୍ ଟିମ୍ କପାସିରା ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଛକରେ ଏକ ବସ୍ତା ଧରି ଛିଡ଼ା ହୋଇଥିବା ଜୀବର୍ଦ୍ଧନ ପାଖରେ ଅଟକି ଥିଲେ । ପରେ ଜୀବର୍ଦ୍ଧନ ଧରିଥିବା ବସ୍ତାକୁ ଉକ୍ତ ଟିମ୍ ଯାଞ୍ଚ କରିବାରୁ ସେଥିରୁ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା । ଘଟଣାରେ ଜୀବର୍ଦ୍ଧନକୁ ଉକ୍ତ ଟିମ୍ ଗିରଫ କରି ବୌଦ୍ଧ ଡିଏଫଓଙ୍କୁ ହସ୍ତାନ୍ତର କରିଥିଲା । ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।

Comments are closed.