ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା : ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ଗିରଫ

67

-ଆଖୁକିଆରିରୁ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
-୧୭ରେ ପୋଲିସ ବାରାକ୍ରୁ ଛୁ’ ମାରିଥିଲା
-କାର୍ଯ୍ୟାନୁଷ୍ଠାନ ଦାବିରେ କଳାହାଣ୍ଡି ବନ୍ଦ ଡାକରା

ବଲାଙ୍ଗୀର/ଭୁବନେଶ୍ୱର : ମହାଲିଙ୍ଗ ସନ୍ସାଇନ୍ ପବ୍ଳିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ଫେରାର ଥିବା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ ଆଜି ପୋଲିସ ହାତରେ ଧରାପଡ଼ିଛି । ୧୭ ତାରିଖରେ ପୋଲିସ ବାରାକ୍ରୁ ସେ ଛୁ ମାରିଥିଲା । ଆଜି ବାନ୍ଧିଛି ପୋଲିସ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁବାଡ଼ିରୁ ତାକୁ ଗିରଫ କରାଯାଇଛି । ୧୭ ତାରିଖରେ ଟିଟିଲାଗଡ଼ ଥାନା ପୋଲିସ ବାରାକ୍ରୁ ସେ ଖସି ପଳାଇଥିଲା । ଏହି ମୋଷ୍ଟ ୱାଣ୍ଡେଡ୍ ଅଭିଯୁକ୍ତ ନାମରେ ପୋଲିସ ପୁରସ୍କାର ରାଶି ଘୋଷଣା କରିଥିଲା । ତାକୁ ଧରାଇ ଦେଲେ ୨୦ହଜାରରୁ ୧ଲକ୍ଷକୁ ବୃଦ୍ଧି ହୋଇଥିଲା ପୁରସ୍କାର ରାଶି । ଗୋବିନ୍ଦକୁ ଖୋଜୁଥିଲା ୩ ପୋଲିସ ଟିମ୍ । ମମିତା ନିଖୋଜ ମାମଲାରେ ସେ ହେଉଛି ମୁଖ୍ୟ ଅଭିଯୁକ୍ତ । ଏପରିକି ଗୋବିନ୍ଦଙ୍କ ବିବାଦ ନୂଆ ନୁହେଁ । କଲେଜରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ଅଧୀକ୍ଷକ ଗିରଫ ହୋଇ ଜେଲ୍ ଯାଇଥିଲେ ।

୨୦୦୦ ମସିହାରେ ଗୋବିନ୍ଦଙ୍କ ଟ୍ରାକ୍ଟର ଜଣେ ଝିଅକୁ ଚାପିଦେବା ଘଟଣାରେ ତାଙ୍କ ଜିପ୍କୁ ପୋଡି ଦେଇଥିଲେ ସ୍ଥାନୀୟ ଲୋକେ । ଅକ୍ଟୋବର ୧୩ ତାରିଖରେ ସିନେ୍ଧକେଲା ଥାନାରେ ମମିତା ନିଖୋଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ଗୋବିନ୍ଦକୁ ୧୪ ତାରିଖରୁ ଅଟକ ରଖିଥିଲା । ୧୭ ତାରିଖ ରବିବାର ରାତିରେ ପାୱାର କଟ୍ ସମୟରେ ସେ ବାରାକ୍ରୁ ଫେରାର ହୋଇଯାଇଥିଲା । ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଏହାକୁ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ଶାଖା । ଏଥିସହିତ ପୋଲିସ କବ୍ଜାରେ ମଧ୍ୟ ଜେସିବି ଡ୍ରାଇଭର ଅଟକ ରହିଥିବା ବେଳେ ପଚରାଉଚରା ଜାରି ରହିଛି । ଗୋବିନ୍ଦ ସହ ପୋଲିସ ମଧ୍ୟ ଆଉ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ଏହି ସନ୍ଦିଗ୍ଧଜଣକ ହେଉଛି ଗୋବିନ୍ଦର ଭଣଜା । ସେ ମଧ୍ୟ ଆଖୁବାଡିରେ ଲୁଚିଥିଲା । ସେ ଗୋବିନ୍ଦକୁ ସହଯୋଗ କରିଥିବା ଅଭିଯୋଗ ହୋଇଛି ।

ମମିତା ମିଷ୍ଟ୍ରି : ପାଉଁଜି-ଚେନ୍ କାହାର ?

ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ସନ୍ଦେହ ବଢ଼ିଛି । ୧୨ ଦିନ ହେଲା ତାଙ୍କ ପତ୍ତା ମିଳୁନଥିବା ବେଳେ ଆଜି ମହାଲିଙ୍ଗରେ ନିର୍ମାଣାଧୀନ ଖେଳପଡିଆରୁ ଗୋଟିଏ ମୃତଦେହର ଅଂଶବିଶେଷ ମିଳିବା ମମିତା ନିଖୋଜ ସସ୍ପେନ୍ସକୁ ବଢ଼ାଇ ଦେଇଛି । ମାଟିଖୋଳି ପୋଲିସ ପୋଡିଯାଇଥିବା ମୃତଦେହର ଅଂଶ ଜବତ କରିଛି । ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ଉକ୍ତ ସ୍ଥାନକୁ ପୋଲିସ୍ ଚାରିପଟୁ ସିଲ୍ କରି ଦେଇଛି । ମୃତଦେହ ନିକଟରୁ ଏକ ଧୂପକାଠି, ପାଉଁଜି, ସୁନା ଚେନ୍, ବ୍ରେସଲେଟ୍, ମୁଦି ଓ ଭ୍ୟାନିଟି ବ୍ୟାଗ୍ ମଧ୍ୟ ଉଦ୍ଧାର ହୋଇଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣାପଡ଼ୁଥିବା ବେଳେ ଏନେଇ ପୋଲିସ କିଛି ସ୍ପଷ୍ଟ କରିନି । ତେବେ ଚେନ୍, ପାଉଁଜି, ମୁଦି ଓ ଭ୍ୟାନିଟି ବ୍ୟାଗ୍ ଝିଅର ବୋଲି ଦାବି କରିଛନ୍ତି ମମିତାଙ୍କ ପରିବାର ଲୋକ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଷ୍ଟାଡିୟମଟି ପୋଲିସ୍ ଛାଉଣୀରେ ପରିଣତ ହୋଇଥିବା ସତ୍ତେ୍ୱ ଶହ ଶହ ଲୋକ ଷ୍ଟାଡିୟମ ଭିତରକୁ ଧସି ପଶି ଯାଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ୍ ଲୋକଙ୍କୁ ଘଉଡ଼ାଇଥିଲା । ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନ୍ଏ ଟେଷ୍ଟ ହେବ ବୋଲି ବଲାଙ୍ଗିର ପୋଲିସ୍ ପକ୍ଷରୁ କୁହାଯାଇଛି ।

Comments are closed.