ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା : କାର୍ ରେ ଯୋଜନାବଦ୍ଧ ହତ୍ୟା

63

-ଗୋବିନ୍ଦର ପରକୀୟା ପ୍ରୀତି ଜାଣିଥିଲେ ମମିତା
-ପୋଲ୍ ଖୋଲିଯିବା ଭୟରେ ରାସ୍ତାରୁ ହଟାଇଲା
-ପାଞ୍ଚଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର/ବଲାଙ୍ଗିର : ଖୋଲିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ଗୋବିନ୍ଦର ପରକୀୟା ପ୍ରୀତି କଥା ମମିତା ଜାଣିଥିବାରୁ ମୁଖା ଖୋଲିଯିବା ଭୟରେ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା । ମମିତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ପୋଲିସ ହାତରେ ପ୍ରମାଣ ଲାଗିଛି । ମମିତାଙ୍କୁ ମୃତ୍ୟୁକୋଳରେ ଶୁଆଇ ଦେବାକୁ ଯୋଜନା କରିଥିଲା ଅଭିଯୁକ୍ତ । ୮ ତାରିଖରେ ଚକ୍ରାନ୍ତ କରି ତାଙ୍କୁ ଡାକିଥିଲା । ସେହିଦିନ ଷଡଯନ୍ତ୍ରକୁ ସାକାର କରିଥିଲା । ଭବାନୀପାଟଣାରୁ କେଗାଁ ଯିବା ବାଟରେ କାର ଭିତରେ ତାଙ୍କୁ ମାରିଦେଇଥିଲା । ପୋଲ ଖୋଲିଯିବା ଓ ଆକ୍ରୋଶ ଏହି ଜଘନ୍ୟ ହତ୍ୟାର ମୁଖ୍ୟ କାରଣ । ଶ୍ୱାସରୁଦ୍ଧରୁ ମମିତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ତଣ୍ଟିଚିପି ହତ୍ୟା କରାଯାଇଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିଆଇଜି । ହତ୍ୟା ପରେ ଗାଡିରେ ମୃତଦେହକୁ ନେଇ ମହାଲିଙ୍ଗ ମିନିଷ୍ଟାଡିୟମ୍କୁ ଗୋବିନ୍ଦ ଯାଇଥିଲା । ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହକୁ କାର୍ଡବାର୍ଡ ଓ ୟାର ସାହାଯ୍ୟରେ ନିଆଁ ଲଗାଇ ପୋଡି ଦେଇଥିଲା । ୯ ତାରିଖ ସକାଳେ ଗାତକୁ ପୋତିଥିଲା ସେ । ଏଥିନେଇ କାର ଭିତରୁ ସତ୍ୟ ପ୍ରମାଣ ଯୋଗାଡ କରିଛି ପୋଲିସ । ଗୋବିନ୍ଦର ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଅଧିକ ଖୋଳତାଡ ଓ ତଥ୍ୟ ପ୍ରମାଣ ପାଇଁ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇ ସତ ବାହାର କରାଯିବ ।

ଗତକାଲି ମହାଲିଙ୍ଗ ଷ୍ଟାଡିୟମ୍ରୁ ପୋଡିଯାଇଥିବା ମୃତଦେହର ଅଂଶ, ସୁନାଚେନ୍, ପାଉଁଜି ଓ ଭ୍ୟାନିଟି ବ୍ୟାଗ୍ ମିଳିଥିଲା । ଡିଏନ୍ଏ ଟେଷ୍ଟ ପାଇଁ ଆଜି ମମିତାଙ୍କ ବାପା, ମା’ ଓ ପରିବାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ତେବେ ମମିତାଙ୍କ ମର୍ଡର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରକୀୟା ପ୍ରୀତି କଥା କହି ଗୋବିନ୍ଦକୁ ମମିତା ଧମକାଉଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିଶ୍ଚିତ ଭଲ ନଥିବ । ତା ସତ୍ତେ୍ୱ ସେହିଦିନ ଅଧାବାଟରେ ବସ୍ରୁ ଓହ୍ଲାଇ ମମିତା ଗୋବିନ୍ଦ ସହ ଗଲେ କେମିତି ? ଯଦି ତିକ୍ତତା ଥିଲା, କେଉଁ ଭରସାରେ ସେ ଗୋବିନ୍ଦ ସହ କାରରେ ଗଲେ । କାରରେ ମମିତାଙ୍କୁ ହତ୍ୟାବେଳେ ଗୋବିନ୍ଦ ଏକା ଥିଲେ ନା ଆଉ କେହି ଥିଲେ ? ଡ୍ରାଇଭରର ସମ୍ପୃକ୍ତି କେତେ ? ଡ୍ରାଇଭର ଜାଣତରେ ଏଭଳି ହତ୍ୟାକାଣ୍ଡ ହୋଇଛି କି ନା ମମିତାଙ୍କୁ ଏକାକି ମାରିଛି ଗୋବିନ୍ଦ । ମୃତହେଦକୁ ଗାଡିରୁ ଓହ୍ଲାଇ ପୋଡିବା ଓ ପୋତିବା ଜଣକ ପକ୍ଷରେ କ’ଣ ସମ୍ଭବ ? ଏସବୁ ଅସମାହିତ ପ୍ରଶ୍ନ ଏବେ ପୋଲିସ ମନରେ ଉଙ୍କି ମାରିଛି । ତେଣୁ ତାକୁ ୫ ଦିନିଆ ରିମାଣ୍ଡରେ ନେଇ ତା’ଠାରୁ ସବୁ ସତ ଉଗାଳିବ ପୋଲିସ । ଆଜି ବଲାଙ୍ଗିର ଏସ୍ପିଙ୍କୁ ଭେଟି ଦୋଷୀ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମମିତାଙ୍କ ବାପା ଓ ମା’ । ଏହି ମର୍ଡର ଏବେ ରାଜ୍ୟ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି।

ଗୋବିନ୍ଦକୁ ଧରାଇଦେଲା ସିସିଟିଭି :

୮ ତାରିଖରେ ନିଖୋଜ ହୋଇଥିଲେ ଶିକ୍ଷୟିତ୍ରୀ ମମିତା ମେହେର । ତାଙ୍କୁ ହତ୍ୟାକରି ନିଶ୍ଚିତରେ ବୁଲୁଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଖୋଳତାଡ ବେଳେ ନିଖୋଜ ମାମଲାର ପୋଲିସ ସ୍କାନରକୁ ଆସିଥିଲା ଅଭିଯୁକ୍ତ ଗୋବିନ୍ଦ । ତାକୁ ଧରାଇଦେଲା ସିସିଟିଭି ଫୁଟେଜ୍ । ତଦନ୍ତ ବେଳେ ପାଖାପାଖି ୭୦ ଘଣ୍ଟାର ସିସିଟିଭିକୁ ତନ୍ନ ତନ୍ନ କରି ଘାଣ୍ଟିଥିଲା ପୋଲିସ । ଟିକିନିକି ଭାବେ ଦେଖିଥିଲା । ୪୦ରୁ ୫୦ କିମି ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଥିଲା । କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚାରି ସେମାନଙ୍କଠାରୁ ଗୋବିନ୍ଦ ସମ୍ପର୍କରେ ସୂଚନା ପାଇଥିଲା ପୋଲିସ । ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଓ ଗୋବିନ୍ଦର ଗତିବିଧିକୁ କ୍ରସଚେକ୍ କରିବା ପରେ ନିଷ୍କର୍ସରେ ପୋଲିସ ପହଞ୍ଚି ଯାଇଥିଲା । ସୂଚନାଯୋଗ୍ୟ ଯେ, ୧୪ ତାରିଖରେ ଗୋବିନ୍ଦକୁ ପଚରାଉଚରା ପାଇଁ ବଲାଙ୍ଗିର ପୋଲିସ ଅଟକ ରଖିଥିଲା । ହେପାଜତରେ ଥିବା ବେଳେ ଟିଟିଲାଗଡ଼ ଥାନା ପୋଲିସ ବାରାକ୍ରୁ ପାୱାର କଟ୍ ର ସୁଯୋଗ ନେଇ ୧୭ ତାରିଖରେ ଚମ୍ପଟ ମାରିଥିଲା । ମଙ୍ଗଳବାର ଅପରାହ୍ନରେ ବୁଢ଼ିପଦର ଥାନା ଅଞ୍ଚଳରେ ଏକ ଆଖୁକିଆରିରୁ ଧରାପଡ଼ିଥିଲା । ରାତି ସାରା ଜେରା ପରେ ବଖାଣିଥିଲା କାହିଁକି, କେମିତି ଓ କେଉଁଠି ମମିତାଙ୍କୁ ହତ୍ୟା କରିଥିଲା । ଏଥିସହିତ ତାର କିଛି ସହଯୋଗୀଙ୍କୁ ମଧ୍ୟ ଅଟକ ରଖି ପୋଲିସ ଖୋଳତାଡ ଜାରି ରଖିଛି ।

Comments are closed.