ଆଜିଠୁ ପିଲାଙ୍କୁ ଟିକାକରଣ ପ୍ରଶିକ୍ଷଣ

57

ଭୁବନେଶ୍ୱର : ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି । ଆସନ୍ତାକାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି । ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ । ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି । କୋଭାକ୍ସିନର ୨ଟି ଡୋଜ୍ ଥିବାବେଳେ ଜାଇକୋଭ-ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡିବ । କୋଭାକ୍ସିନର ପ୍ରଥମ ଡୋଜର ୪ ସପ୍ତାହ ପରେ ନେବେ ଦ୍ୱିତୀୟ ଡୋଜ୍ । ସେପଟେ ଦେଶରେ ନୂଆ କରୋନା ଭୂତାଣୁ ଦେଖାଦେଇଛି । ମହାରାଷ୍ଟ୍ରରେ ଦେଖା ଦେଇଥିବା ନୂଆ ଭୂତାଣୁର ନାଁ ଘୋଷଣା ହୋଇନି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆଶ୍ୱସ୍ତିକର ଖବର ହେଉଛି, ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍ । ଯଦି ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ, ତେବେ ତୃତୀୟ ଲହର ସମ୍ପୂର୍ଣ୍ଣ ଏଡାଇ ଦିଆଯାଇପାରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଓଡ଼ିଶାରେ ସାଢ଼େ ୩କୋଟି ଲୋକଙ୍କୁ ଟିକା : ଟିକାକରଣରେ ଗଞ୍ଜାମ ଆଗରେ

ଓଡ଼ିଶାରେ ୯ ମାସରେ ସାଢ଼େ ୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ସେଥିରୁ ୨ କୋଟି ୪୭ଲକ୍ଷ ପ୍ରଥମ ଡୋଜ୍ ନେଇଥିବା ବେଳେ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ରାଜ୍ୟରେ ଆଉ ୨୪ଲକ୍ଷ ଦ୍ୱିତୀୟ ଡୋଜ୍ ନେବାକୁ ବାକି ରହିଛି । ଟିକାକରଣରେ ଗଞ୍ଜାମରେ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଗଞ୍ଜାମରେ ୩୭ଲକ୍ଷ ୧୬ହଜାର, ଖୋର୍ଦ୍ଧାରେ ୩୪ଲକ୍ଷ ୪୬ହଜାର, କଟକରେ ୧୯ଲକ୍ଷ ୬୯ ହଜାର, ବାଲେଶ୍ୱରରେ ୧୭ଲକ୍ଷ ୫୧ହଜାର ଓ ସୁନ୍ଦରଗଡ଼ରେ ୧୫ଲକ୍ଷ ୫୩ହଜାର ଡୋଜ୍ ଦିଆଯାଇଛି ।

Comments are closed.