ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ : ୨୬ ସୁଦ୍ଧା ତାଲିକା ଚୂଡ଼ାନ୍ତ କର

62

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ୨୦୨୧ ଅକ୍ଟୋବର ୪ରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିସନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିସନଙ୍କୁ ପଠାଇବାକୁ କୁହାଯାଇଛି । ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ଆସନ୍ତା ୨୬ ତାରିଖ ସୁଦ୍ଧା ନିର୍ବାଚନ କମିସନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସ ସଂପର୍କରେ ନିର୍ବାଚନ କମିସନର ଆଲୋଚନା କରିଥିଲେ । ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲାଟ୍ ବକ୍ସ ଦରକାର ହେବ, ଜିଲ୍ଲାସ୍ତରରେ କେତେ ବାଲାଟ୍ ବକ୍ସ ଅଛି, ସେ ସଂପର୍କରେ କମିସନ ଜାଣିବାକୁ ଚାହିଁଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି ଏବଂ ନଭେମ୍ବର ୧୫ ତାରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ପରେ ଭୋଟଗଣତି ସଂପର୍କରେ ନିର୍ବାଚନ କମିସନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ଏଥରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି । ଜିଲ୍ଲାପାଳମାନେ ବ୍ଲକ୍ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି (ଏକ୍ସେଲ୍ ଫର୍ମାଟ୍) ଜରିଆରେ ପଠାଯାଇଛି । ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜିକରଣ ଅଧକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହି କାର୍ଯ୍ୟ ଆସନ୍ତା ୨୫ ତାରିଖ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି ଓ ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ୫ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଭୋଟଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିସନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିସନ ସ୍ପଷ୍ଟ କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିସନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ଉପସଚିବ ଆଜାଦ୍ ହିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.