ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : ବୁଥ୍ ବଦଳରେ ବ୍ଲକ୍ ରେ ଭୋଟ ଗଣତି

65

-ଏଣିକି ନିର୍ବାଚନରେ ହେବ ସେଣ୍ଟ୍ରାଲ କାଉଣ୍ଟିଂ
-ଇଲେକ୍ଟୋରାଲ ରୋଲ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି । ତେବେ ସେଣ୍ଟ୍ରାଲ କାଉଣ୍ଟିଂ ପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡ଼ିବ । ଯେତିକି ବୁଥ୍ ସେତିକି ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି କମିଶନର କହିଛନ୍ତି । ଗତକାଲି ଏନେଇ ସବୁ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ ସେ ଆଲୋଚନା କରିଥିଲେ । ୱାର୍ଡ ଓ ପଞ୍ଚାୟତରେ ଭୋଟର ଲିଷ୍ଟ ପାଇଁ ଗାଇଡଲାଇନ୍ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଅନ୍ୟପଟେ ଗତକାଲି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ବୈଠକ କରିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାପାଳମାନଙ୍କୁ ନେଇ ବୈଠକର ଆୟୋଜନ ହୋଇଥିଲା । ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର । ଖାଲି ସେତିକି ନୁହେଁ ଯଥାଶୀଘ୍ର ତାଲିକା ପ୍ରସ୍ତୁତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବାକୁ ନିର୍ଦ୍ଦେଶ ରହିଛି । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି ଏବଂ ନଭେମ୍ବର ୧୫ ତାରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରେ ଭୋଟଗଣତି ସଂପର୍କରେ ନିର୍ବାଚନ କମିସନର ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ ।

ଏଥରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି । ଜିଲ୍ଲାପାଳମାନେ ବ୍ଲକ୍ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି (ଏକ୍ସେଲ୍ ଫର୍ମାଟ୍)ଜରିଆରେ ପଠାଯାଇଛି । ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଭୋଟଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିସନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିସନର ସ୍ପଷ୍ଟ କରିଛନ୍ତି ।

Comments are closed.