ପରିବା ଦରରେ ତାତି : ଚିନ୍ତାରେ କାର୍ତ୍ତିକ ବ୍ରତଧାରୀ

58

ଭୁବନେଶ୍ୱର : ଧର୍ମମାସ କାର୍ତ୍ତିକରେ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପନିପରିବା ଚଢ଼ା ଦରକୁ ନେଇ ଚିନ୍ତାରେ ଖାଉଟିଙ୍କ ସହ ହବିଷ୍ୟାଳୀ । ବିଭିନ୍ନ ପରିବାର ଚଢ଼ାଦର ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଆଳୁ ଓ ଟାମାଟୋଠାରୁ ଆରମ୍ଭକରି ପ୍ରତ୍ୟେକ ପନିପରିବା ଚଢ଼ା ଦରରେ ବିକ୍ରି ହେବା ଆରମ୍ଭ ହେଲାଣି । ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡ଼ିଛି । ବିଶେଷକରି ଖଟିଖିଆ, ମଜୁରିଆ ଓ ମଧ୍ୟବିତ୍ତ ବର୍ଗର ଲୋକ ମହଙ୍ଗା ମାଡରେ ଅତିଷ୍ଠ ହୋଇପଡ଼ିଲେଣି । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସହ ପରିବା ଦର ବୃଦ୍ଧି ଏମାନଙ୍କ ଜୀବନକୁ ଦୁର୍ବିସହ କରିସାରିଲାଣି ।

କରୋନା ଯୋଗୁ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏହି ମହଙ୍ଗା ମାଡ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କିଭଳି ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବେ ଏବେ ସେମାନଙ୍କୁ ସେହି ଚିନ୍ତା ଘାରିଛି । ତେବେ ତେଲ ଦରବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ପରିବା ଦର ମଧ୍ୟ ବଢ଼ୁଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସଫେଇ ଦିଆଯାଇଛି । ବଜାରରେ ବିନ୍ସର ମୂଲ୍ୟ ୭୦ରୁ ୮୦ ଥିବାବେଳେ ଆଳୁ କିଲୋ ୨୦ ଟଙ୍କା, ଦେଶୀ ଆଳୁ ୪୦ରୁ ୫୦, କଖାରୁ କେଜି ୩୦, କଞ୍ଚାଲଙ୍କା ୧୦୦ ଟଙ୍କା ବିକ୍ରି ହେଉଥିବା ବେଳେ ପୋଟଳ ୮୦, କାଙ୍କଡ ୧୦୦ ଟଙ୍କା ପାର କରିଛି । ଗାଜର ୬୦, ଟାମାଟୋ ୭୦ରୁ ୮୦, କଲରା ୪୦, ବାଇଗଣ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲକୋବି ଗୋଟା ୮୦, ବନ୍ଧା କୋବି ୩୦ ଟଙ୍କା, ଝୁଡଙ୍ଗ ୩୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ବିଭିନ୍ନ ପ୍ରକାର ଶାଗର ଚାହିଦା ଅଧିକ ରହୁଥିବାରୁ କୋଶଳା ବିଡା ପ୍ରତି ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦରବୃଦ୍ଧି ଆରମ୍ଭ ହୋଇଯାଇଥିବାରୁ ପୂରା ମାସ ଶେଷ ବେଳକୁ ପରିବା ଖର୍ଚ୍ଚକୁ ନେଇ ଗୃହକର୍ତ୍ତାଙ୍କ ଚିନ୍ତା ଏବେଠୁ ବଢ଼ିଯାଇଛି ।

Comments are closed.