ଆଜି ବିରାଟ ମୁକାବିଲା : ଭାରତ-ପାକିସ୍ତାନ ମୁହାଁମୁହିଁ

58

-ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା
-ବିଶ୍ୱକପ୍ରେ ଭାରତର ଶତପ୍ରତିଶତ ବିଜୟ ରେକର୍ଡ
-ଇତିହାସ ବଦଳାଇବା ଲକ୍ଷ୍ୟରେ ପାକ୍ ଟିମ୍

ନୂଆଦିଲ୍ଲୀ : ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଭାରତ-ପାକ୍ ଟି-୨୦ ମୁକାବିଲା । ହାଇ ଭୋଲଟେଜ୍ ମ୍ୟାଚ୍ ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେବା ସହିତ ଫଳାଫଳକୁ ନେଇ ବଢ଼ିଛି ଉକ୍ରଣ୍ଠା । ଭାରତ ଶେଷଥର ପାଇଁ ୨୦୧୯ ଦିନିକିଆ ବିଶ୍ୱକପ୍ରେ ପାକିସ୍ତାନକୁ ଭେଟିଥିଲା । ଦୁଇବର୍ଷ ପରେ ପୁଣିଥରେ ଉଭୟ ଟିମ୍ ମଧ୍ୟରେ ମୁକାବିଲା ହେଉଛି । ଦିନିକିଆ ହେଉ କି ଟି-୨୦ ବିଶ୍ୱକପ୍ରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଶତ ପ୍ରତିଶତ ରହିଛି । କିଏ କାହାଠାରୁ କମ୍ ନୁହନ୍ତି । ଟି-୨୦ରେ ର୍ୟାଙ୍କିଙ୍ଗରେ ଭାରତ ୨ ନମ୍ବରରେ ଥିବାବେଳେ ପାକିସ୍ତାନ ୩ ନମ୍ବରରେ ରହିଛି । କିନ୍ତୁ ଅଧିକାଂଶଙ୍କ ମତ ଭାରତର ପଲ୍ଲା ଭାରି ରହିପାରେ । ଇତିହାସ ବି କହୁଛି ବିଶ୍ୱକପ୍ରେ ପାକିସ୍ତାନଠାରୁ କେବେ ହାରିନାହିଁ ଭାରତ । ଦିନିକିଆ ଓ ଟି-୨୦ ବିଶ୍ୱକପ୍ରେ ଭାରତ ୧୨ ଥର ପାକିସ୍ତାନକୁ ଧୂଳି ଚଟାଇଛି । ଟି-୨୦ ବିଶ୍ୱକପ୍ରେ ଉଭୟ ଦଳ ପରସ୍ପର ୫ଥର ମୁହାଁମୁହିଁ ହୋଇଛନ୍ତି । ସବୁଥିରେ କିନ୍ତୁ ଭାରତ ବିଜୟୀ ହୋଇଛି । କିନ୍ତୁ ଗୋଟିଏ କଥା ଏହିସବୁ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ଏଥର ନାହାନ୍ତି କ୍ୟାପଟେନ୍ କୁଲ । ଏଧିନାୟକ ଅଛନ୍ତି ବିରାଟ୍ କୋହଲୀ । ବିରାଟ ବାହିନୀକୁ ରୋହିତ ଶର୍ମା ଓ କେ.ରାହୁଲ ଓପନିଂ କରିବା ପ୍ରାୟ ନିଶ୍ଚିତ । ମଧ୍ୟକ୍ରମ ସମ୍ଭାଳିବେ ସୂର୍ଯ୍ୟ କୁମା ଯାଦବ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଅଲରାଉଣ୍ଡର ଜାଡେଜାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । ସେହିପରି ବୋଲିଂରେ ମଧ୍ୟ ଶକ୍ତିଶାଳୀ ଅଛି ଭାରତ । ଆଜି ବିରାଟ୍ କୋହଲୀ ବିପକ୍ଷ ଦଳକୁ ମଧ୍ୟ କମ୍ରେ ନେଇନାହାନ୍ତି । ସେ ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି । ସେ କହିଛନ୍ତି ଆମେ କଦାପି ରେକର୍ଡ ଓ ପୂର୍ବ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରୁନାହିଁ । ଏଭଳି ତଥ୍ୟ ବିଭ୍ରାନ୍ତ କରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ଦ୍ଦିଷ୍ଟ ମ୍ୟାଚ୍ରେ ଆମ ଯୋଜନାକୁ ଆମେ କେଉଁଭଳି କାର୍ଯ୍ୟ କରୁଛେ । ପାକିସ୍ତାନ ଏକ ଶକ୍ତିଶାଳୀ ଦଳ । ତାଙ୍କ ବିପକ୍ଷରେ ଆମକୁ ଶ୍ରେଷ୍ଠ କ୍ରିକେଟ୍ ଖେଳିବାକୁ ପଡ଼ିବ ବୋଲି କ୍ୟାପ୍ଟେନ୍ କୋହଲୀ କହିଛନ୍ତି । ଦେଖାଯାଉ କାଲିର ମ୍ୟାଚ୍ର କ’ଣ ଫଳାଫଳ ଆଣୁଛି ?

ଟିମ୍ ଇଣ୍ଡିଆର ଜୋର୍ଦାର ଅଭ୍ୟାସ :

ଭାରତ ଆସନ୍ତାକାଲି ଠାରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ମୁଖ୍ୟ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିଥିଲା । ଏଥିରେ ଦଳ ବିଜୟୀ ହୋଇଛି । ଆସନ୍ତାକାଲି ଦଳର ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିଛି । ଏହା ପୂର୍ବରୁ ଶନିବାର ଟିମ୍ ଇଣ୍ଡିଆ ଜୋର୍ଦାର ଅଭ୍ୟାସ କରିଥିବା ପରିଲକ୍ଷିତ ହୋଇଛି । ସେହିପରି ଅଭ୍ୟାସ ମ୍ୟାଚରେ ଟିମ୍ ଇଣ୍ଡିଆର ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଟିମ ମ୍ୟାନେଜମେଣ୍ଟ ପାଇଁ ଟପ୍ ୧୧ ଚୟନ କରିବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଖେଳାଳିଙ୍କ ସହ ବେଶ ଝାଳ ବୁହାଇଛନ୍ତି । ସେ ନିଜେ ବ୍ୟାଟରଙ୍କୁ ଥ୍ରୋ ଡାଉନର ଅଭ୍ୟାସ କରାଇଛନ୍ତି । ଏହାର ଫଟୋ ମଧ୍ୟ ବିସିସିଆଇ ଟ୍ୱିଟ କରିଛି । ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପରେ ସହାୟତା କରିବା ପାଇଁ ଦଳ ସହ ଥିବା ୪ ଜଣ ଖେଳାଳି ଭାରତ ଫେରି ଆସିଛନ୍ତି । ଭାରତରେ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି ୪ ଖେଳାଳି ନିଜ ନିଜ ରାଜ୍ୟ ପକ୍ଷରୁ ଖେଳିବେ । ଏଥିପାଇଁ ସେମାନଙ୍କୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଫେରାଇ ଅଣାଯାଇଛି ।

ଭାରତ ଫେରିଥିବା ୪ ଖେଳାଳି ହେଲେ କରନ ଶର୍ମା, କ୍ରିଷ୍ଣାପ୍ପା ଗୌତମ, ଭେଙ୍କଟେଶ ଆୟର ଓ ଶହବାଜ ଅହମଦ । ଏମାନେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ସହ ନେଟ ବୋଲର ଭାବେ ଯୋଗଦେଇଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପୂର୍ବରୁ ହିଁ ସେମାନେ ସ୍ୱଦେଶ ଫେରିଛନ୍ତି । ତେବେ ଟିମ ଇଣ୍ଡିଆ ସହ ନେଟ ବୋଲର ଭାବେ ଏବେ ବି ଅଭେଶ ଖାନ, ହର୍ଷଲ ପଟେଲ, ଉମରନ ମାଲିକ ଓ ଲୁକମାନ ମେରିୱାଲା ରହିଛନ୍ତି । ଏମାନେ ସମସ୍ତେ ଦ୍ରୁତ ବୋଲର । ଭାରତ ଫେରିଥିବା ୪ ଖେଳାଳି ଟିମ ସହ ସ୍ପିନ ବୋଲର ଭାବେ ଯୋଗ ଦେଇଥିଲେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଟିମକୁ ଅଧିକ ନେଟ ସେସନ ମିଳିବନି । ତେଣୁ ସ୍ପିନ ବୋଲରଙ୍କ ଆବଶ୍ୟକ ନାହିଁ । ତେଣୁ ଜାତୀୟ ଚୟନ କମିଟି ଟିମ ସହ ଥିବା ୪ ସ୍ପିନରଙ୍କୁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଭାଗ ନେବାକୁ କହିଛି । ଏହାଦ୍ୱାରା ସେମାନେ ଲାଭବାନ ହେବେ । ସେମାନଙ୍କୁ ମ୍ୟାଚ୍ ର ଅଭ୍ୟାସ ଦରକାର । ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ୟୁଏଇରୁ ଆସିଥିବା ୪ ଖେଳାଳି ନିଜ ନିଜ ରାଜ୍ୟ ପାଇଁ ଖେଳିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

Comments are closed.